କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠ ୧୯୯୭ ବ୍ୟାଚର ୧୦ମ ଶ୍ରେଣୀ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁନ୍ୟ ୮୦ଜଣ ଦଶମ ଶ୍ରେଣୀ ବନ୍ଧୁ ଯୋଗ ଦେଇଥିଲେ। ପ୍ରଥମେ ଇହଧାମ ତ୍ୟାଗ କରିଥିବା ବନ୍ଧୁ ରମେଶ ଗୁପ୍ତା, ରାଧେଶ୍ୟାମ ତାଣ୍ଡି, ଡମ୍ବରୁ ସାହୁ, ଶ୍ରୀକାନ୍ତ ବାଗ, ତୀର୍ଥ ମାଝୀ ଓ ଶ୍ୟାମ ଅଗ୍ରୱାଲଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ୱଳନ କରି ବନ୍ଧୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଦିବଙ୍ଗତ ୬ଜଣ ବନ୍ଧୁଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ବନ୍ଧୁ ମିଳନରେ ୧୯୯୭ ରୌପ୍ୟ ଜୟନ୍ତୀ ପାଇଁ ଏକ ସଂଗଠନ ଗଠନ ସହ ବିଭିନ୍ନ ସଦସ୍ୟ ମଣ୍ଡଳୀ ସ୍ଥାପନ କରାଗଲା । ଏହି କାର୍ଯ୍ୟକ୍ରମରେ ୧୯୯୭ ବ୍ୟାଚର ସମସ୍ତ ବନ୍ଧୁଙ୍କ ଉପସ୍ଥିତିରେ ୧୯୯୭ ରୌପ୍ୟ ସଂଗଠନ ନାମରେ ଘୋଷିତ କରାଯାଇ ଏକ କମିଟି ଗଠନ କରାଯାଇଛି । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ କୃଷ୍ଣ କୁମାର ସାହା, ଉପସଭାପତି ଭାବେ କୁନା ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ମଧୁ ସିନ୍ଦୁର, ସହସମ୍ପାଦକ ଭାବେ ପ୍ରସନ୍ନ ଭୋଇ ଓ କୋଷାଧ୍ୟକ୍ଷ ଭାବେ ପୁରନ୍ଦର ସାହାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ଏହି ସଂଗଠନ ଆଗାମୀ ଦିନରେ ସମାଜିକ ଓ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ଭାଗିଦାର ହେବାସହ ଆଗାମୀ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ମାଟ୍ରିକ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପୁରସ୍କାର ପ୍ରଦାନ କରାଯିବ, ଜରୁରୀକାଳୀନ ସମୟରେ ରେଡକ୍ରସ ଭଳି ଲୋକଙ୍କୁ ସହାୟତା ପ୍ରଦାନ କରିବ, ଗରିବ ଓ ଅସହାୟ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧୁ ସିନ୍ଦୁର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଣବ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।