କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡିର ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନକୁ ରାଜ୍ୟ ସରକାର ମଲ୍ଟି ନ୍ୟାସନାଲ କମ୍ପାନୀଗୁଡ଼ିକ ହାତରେ ଟେକିଦେବା ପାଇଁ ପ୍ରୟାସ କରୁଥିବାବେଳେ ଏହାକୁ କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚ ବିରୋଧ କରିଛି । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସମ୍ମୁଖରେ କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ଆବାହକ ଯୁବ ସଂଗଠକ ସୁରେଶ ରାଓଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଓ ବିଭିନ୍ନ ମଲ୍ଟି ନ୍ୟାସନାଲ କମ୍ପାନୀଙ୍କ ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରି ରଣ ହୁଙ୍କାର ଦେଇଛନ୍ତି । ଏଥିରେ କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଲକରୁ ଆଦିବାସୀ ନେତା ଓ ସଂଗଠକ ଯୋଗଦେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଖଣି ଖଦାନ ଓ ପ୍ରକୃତି ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାକୁ ବେଦାନ୍ତ କମ୍ପାନୀ ସୁପ୍ରିମକୋର୍ଟର ନିୟମାବଳୀକୁ ବେଖାତିର କରି ଯେଉଁଭଳି ଭାବେ ପ୍ରାୟୋଜିତ କାର୍ଯ୍ୟକ୍ରମ କରି ନିୟମଗିରି ଖଣି ହାତେଇବା ଓ ନିରୀହ ଆଦିବାସୀଙ୍କ ଜୀବନ ଜୀବିକାକୁ ଛଡ଼େଇବା ପାଇଁ ପ୍ରୟାସ କରୁଛି ଆମେ ଏହାର ଦୃଢ଼ନିନ୍ଦା କରୁଛୁ । ଯେଉଁ ସାଇନିଂ କଳାହାଣ୍ଡି ଆଜି ମାଇନିଂ କଳାହାଣ୍ଡି ସାଜି ବେଦାନ୍ତ ସପକ୍ଷରେ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛି ସେ ଏହି କାର୍ଯ୍ୟରୁ ନିବୃତ୍ତ ରହୁ ବୋଲି ଆମେ ଆଜି ଏହି ସଭା ମାଧ୍ୟମରେ ତାଙ୍କୁ ଚେତାବନୀ ଦେଉଛୁ ବୋଲି କଳାହାଣ୍ଡି ଜିଲ୍ଲା ଅଧିବାସୀ ସଂଘର ସଭାପତି ପ୍ରକାଶ ମାଝୀ, ଆଦିକନ୍ଧ ସଭାପତି ନିରଞ୍ଜନ ଭୋଇ ଓ ବରିଷ୍ଠ ଆଦିବାସୀ ନେତା ଶ୍ରୀବତ୍ସ ଯାନୀ ସାଇନିଂ କଳାହାଣ୍ଡି ସଂଗଠନ ଉପରେ ଗର୍ଜିଛନ୍ତି । ଆଜି ଆମେ ଏକ ସାଙ୍କେତିକ ବିରୋଧ କାର୍ଯ୍ୟକ୍ରମ ରଖିଥିଲୁ ଆଗାମୀ ଚଳିତ ମାସ ୭ତାରିଖରେ ଜିଲ୍ଲାବ୍ୟାପୀ ଆଦିବାସୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ସଭାପତି ସୁରେଶ ରାଓ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିୟମଗିରି ଆନ୍ଦୋଳନର ସଭାପତି ଲିଙ୍ଗରାଜ ଆଜାଦ, କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ରମେଶ ମାଝୀ, ସାମାଜିକ କାର୍ଯ୍ୟକର୍ତ୍ତା ଅଜୟ ମହାର, କେଶବ ପ୍ରଧାନ, ବାଲା ଷଣ୍ଢ, ରାଜକିଶୋର ଦୁଲହାରି, ତୀର୍ଥ ବୁଦ୍ଧିଆ, ରାଜେନ୍ଦ୍ର ଯାନୀ, ଫଟୁ ମହାନନ୍ଦ ଓ ଜନାର୍ଦ୍ଦନ ନାୟକଙ୍କ ବହୁ ଆଦିବାସୀ ନେତା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ ।