କେସିଙ୍ଗା,ଏନ୍ଏନ୍ଏସ୍: ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି କୋଶଲାଞ୍ଚଳ ପଶ୍ଚିମ ଓଡ଼ିଶା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ସକାଳରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ କେସିଙ୍ଗା ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବା ଯାନବାହନ ଓ ବାଇକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ସମ୍ବିଧାନର ୨ ଓ ୩ ଧାରା ଅନୁସାରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ କରି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା । ଏହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବା ପରିଲକ୍ଷିତ ହୋଇଛି । ପଶ୍ଚିମାଞ୍ଚଳର ରାଜ୍ୟ ଦାବୀକୁ ସମର୍ଥନ ଜଣାଇ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳର କର୍ମକର୍ତ୍ତା, କର୍ମୀ ଓ ଜନସାଧାରଣ କେସିଙ୍ଗା ଭେଟେନାରୀ ଛକ ନିକଟ ଜାତୀୟ ରାଜପଥ ୨୬ ଉପରେ ଅବରୋଧ କରିବାରୁ ୨ କଡ଼ରେ ବହୁ ସଂଖ୍ୟାରେ ଯାନବାହନ ଅଟକିଥିବା ଦେଖିବାକୁ ମିଳିଛି । ପୂର୍ବରୁ ବନ୍ଦ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିବାରୁ ପାଖାପାଖି ସମସ୍ତ ଯାତ୍ରୀବାହୀ ବସ ବନ୍ଦ ଥିବାରୁ ଯାତ୍ରୀଙ୍କୁ ବିଶେଷ ଅସୁବିଧା ହୋଇନଥିବା ଜଣାପଡ଼ିଛି । ଏହି ପ୍ରତିବାଦରେ ପୂର୍ବତନ ଏନଏସି ଅଧ୍ୟକ୍ଷ ରାମ କୁମାର ଜୈନ, ସୁଭାଷ ଜୈନ, ବିଜୟ ଦୀପ, ରୋହିତ ଜୈନ, ରାହସ ସାହୁ, ମୋତି କୈବର୍ତ୍ତ, ଜ୍ୟୋସ୍ନାମୟୀ ବଗର୍ତ୍ତି, ବସନ୍ତ ନାୟକ, ଆପର ରାଧେଶ୍ୟାମ ଅଗ୍ରୱାଲ, ବିଜେପିର ସଚିନ ଜୈନ ଓ ରତନ ଦୀପ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ ।