କେରଳ ହାତୀ ମୃତ୍ୟୁ: ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,ଏଜେନ୍ସି : କେରଳ ହାତୀ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ କେରଳ ସମେତ ୧୨ଟି ରାଜ୍ୟକୁ ନୋଟିସ କରିଛନ୍ତି। ବନ୍ୟଜନ୍ତୁ ଏବଂ ଜାଲରେ ଫସାଇବାକୁ ହେଉଥିବା ପ୍ରୟାସକୁ ରୋକିବା ପାଇଁ ଏକ ଆବେଦନ ହୋଇଥିଲା। ଏହି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ସମେତ ୧୨ଟି ରାଜ୍ୟକୁ ନୋଟିସ କରିଛନ୍ତି। ସିଜେଆଇ ଜଷ୍ଟିସ ବୋବଡେ, ଜଷ୍ଟିସ ଏ ଏସ୍ ବୋପନ୍ନା ଏବଂ ଜଷ୍ଟିସ ସୁବାଷ ରେଡ୍ଡୀଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଆଇନଜୀବୀ ଶୁଭମ ଅବସ୍ତୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଯେଉଁଥିରେ ଖଣ୍ଡପୀଠ କହିଛନ୍ତି, ବନ୍ୟଜନ୍ତୁଙ୍କୁ ଧରିବା ପାଇଁ କିମ୍ବା ହତ୍ୟା କରିବା ପାଇଁ ଯେଉଁ ସବୁ ପନ୍ଥା ରହିଛି ସେସବୁ ଅସାମ୍ବିଧାନିକ। ଏହି ସବୁ ଘଟଣାକୁ ଭବିଷ୍ୟତରେ ଏଡାଇବା ପାଇଁ ଏକ ଏସଓପି ଜାରି ହେବା ଦରକାର।

ଏହି ଏସ୍ଓପି ତିଆରି କରିବା ପାଇଁ କେନ୍ଦ୍ର ସରକାର ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଯେଉଁଥିରେ ଓଡ଼ିଶା ରହିଛି। ସୂଚନାଯୋଗ୍ୟ, ମେ ୨୭ରେ କେରଳରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ସାମଗ୍ରୀ ଖାଇଦେବାରୁ ମୃତ୍ୟୁବରଣ କରିଥିଲା। ଏହି ଘଟଣାକୁ ଉଦ୍ଧୃତ କରି ଆଇନଜୀବୀ ଶୁଭମ ଅବସ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେରଳ ବ୍ୟତୀତ ଅନେକ ରାଜ୍ୟରେ ହାତୀଙ୍କ ସୁରକ୍ଷା ନେଇ ଅବଗତ କରାଇଥିଲେ ଆବେଦନକାରୀ। ଏହାପରେ ଏହି ଆଦେଶ ଦେଇଛନ୍ତି।