କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ା ଜିଲ୍ଲାରେ ଅମ୍ପାନ ବାତ୍ୟାର ପ୍ରଭାବ ସତ୍ତେ୍ୱ ଜିରୋ କାଜୁଆଲଟି ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷରଖାଯାଇ ଆଗୁଆ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତେ୍ୱ ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ରାଜନଗର ବ୍ଲକର ସାତଭାୟା ଅଞ୍ଚଳର ଜଣେ ୫୭ ବର୍ଷୀୟା ମହିଳା କୋଇଲି ବେହେରାଙ୍କ ମୃତ୍ୟୁ ଘଟିଥିବା ନେଇ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ମହିଳା ଜଣକ ବାତ୍ୟା ଅଶ୍ରୟସ୍ଥଳକୁ ନଯାଇ ନିଜ ଘରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହିତ କଥା ହୋଇଥିବା ନିଜ ଟ୍ୱିିଟରେ ଉଲ୍ଲେଖ କରିଛନ୍ତିି। ଅପରପକ୍ଷେ ମହିଳା ଜଣଙ୍କ ନିଜ କୋଠାଘରେ ଥାଇ ସ୍ୱଭାବିକ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଟ୍ୱିଟରେ ସୂଚନା ଦେଇଛନ୍ତି। ତାଙ୍କ ପରରିବାରକୁ ୧୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
ସେହିଭଳି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡଟୁବି ଗ୍ରାମରେ ଜଣେ ମହିଳା ବାତ୍ୟା ପବନ ବହୁଥିବା ସମୟରେ ମାଛଧରିବାକୁ ନିକଟସ୍ଥ ନାଳକୁ ଯାଇଥିଲେ। ନାଳରେ ବୁଡି ଏହି ମହିଳାଙ୍କ ଆଜି ମୃତ୍ୟୁ ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ମାତ୍ର ଏ ସମ୍ପର୍କରେ ଜମ୍ବୁ ସାମୁଦ୍ରିକ ଥାନାରେ କୋଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।
ସେହିଭଳି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଜଣେ ମହିଳା ଦମକଳ ଗାଡ଼ିରେ ପ୍ରସବ କରିଥିବା ଜଣାପଡ଼ିଛି। ଏହି ଗର୍ଭବତୀଙ୍କୁ ଜଅଁରା ଗ୍ରାମରୁ ଦମକଳ ଗାଡ଼ିରେ ଆଣିବା ବେଳେ ବାଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତବେ ଉଭୟ ପ୍ରସୂତି ଓ ନବ ଜାତକ ସୁସ୍ଥ ଥିବା ଜଣାପଡ଼ିଛି। ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠଠାରେ ସମୁଦ୍ର କୂଳ ଲଂଘନ କରଥିବା ଖବର ମିଳିିବାପରେ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିଲା। ମାତ୍ର ଏଥିରେ କୈାଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି। ସେହିପରି ମହାକାଳପଡ଼ା ବ୍ଲକ ଖରନାସୀ ପଞ୍ଚାୟତର ବାରନମ୍ବର ଗାଁରେ ନଦୀଜୁଆର ପଶିଯିବାରୁ ତଳିଆ ସ୍ଥାନରେ ଥିବା ଘରଗୁଡ଼ିକ ପାଣିରେ ବୁଡ଼ିଯାଇଛି। ବତୀଘର ଲାଇଟହାଉସର ବତ୍ୟାରେ ବ୍ୟାପକ କ୍ଷତିଘଟିଛି।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କାର୍ଯ୍ୟ କରୁଥିବା ଜଣାପଡ଼ିଛି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବ ସାହୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାସ୍ତା ସଫା କରିବା ପାଇଁ ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହିତ ଲୋକମାନଙ୍କର ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବା ସହିତ ରିଲିଫ କାର୍ଯ୍ୟ ଜାରୀ ରହିଥିବା ସୂଚନା ମିଳିଛି।