ସୁରତରୁ ନିଜ ଗାଁ’କୁ ୧୭୩୬ କି.ମି. ସାଇକେଲ ଆସିଲେ

କେନ୍ଦ୍ରାପଡା,ଏନ୍ଏନ୍ଏସ୍ : ଲକଡାଉନ ସମୟରେ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଶ୍ରମିକମାନେ ବହୁ କଷ୍ଟରେ ଜୀବନ ବିତାଉଥିବା ଜଣାପଡିଛି । ଏପରିକି ସେଠାରେ ରହିବା ଓ ଖାଇବାରେ ଅସୁବିଧା ସହିତ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି। ତେବେ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗ୍ରାମର ମୁରଲି ରାଉତଙ୍କ ପୁଅ କ୍ଷିରୋଦ ରାଉତ (୫୬) ନିଜ ପୁରୁଣା ସାଇକେଲରେ ସୁରତରୁ ଅପ୍ରେଲ ୨୮ ତାରିଖ ଅପରାହ୍ନରେ ବାହାରି ଦୀର୍ଘ ୧୭୩୬ କି.ମି ସାଇକେଲରେ ଆସି ଆଜି ଅପରାହ୍ନରେ ଗାଁ’ରେ ପହଂଚିଛନ୍ତି। ତାଙ୍କୁ ୧୪ ଦିନ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି।

ମଳିଥିବା ସୂଚନା ଅନୁଯାୟୀ, ସୁରତର ଉଦୁନା ଅନ୍ତର୍ଗତ ବିଜୟନଗରରେ ରହୁଥିବା ବଡକୂଳ ଗ୍ରାମର କ୍ଷିରୋଦ ରାଉତ ଦୀର୍ଘ ୨୮ ବର୍ଷ ତଳେ ସେଠାରେ ପଲୁଗାବୁଣା କାମରେ ନିୟୋଜିତ ଥାଇ କଳ ତନ୍ତ ଚଲାଉଥିଲେ। ସେହିପରି ସେ କିଛି ବର୍ଷ ହେବ ମିସ୍ତ୍ରୀ ଭାବରେ ସେଠାରେ କାର୍ଯ୍ୟ କରୁଥିଲେ। ତେବେ ଚଳିତ ଲକଡାଉନକୁ ନେଇ ସେ ରୋଜଗାର ହରାଇଥିବାବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଗକୁ ଏହି ସମସ୍ୟା ଉତ୍କଟ ହେବାପରେ ସେ ଘରକୁ ଫେରିବାକୁ ସିଦ୍ଧାନ୍ତ ନେଇଥିିଲେ। ତେବେ ଏଥିପାଇଁ ରେଳ ଓ ବସ୍ ଚଳାଚଳ ବନ୍ଦଥିବାରୁ ସେ ସାଇକେଲରେ ଫେରିବାକୁ ସାହାସ ସଂଚୟ କରିଥିଲେ।

ସେ ଅପ୍ରେଲ ୧୪ ତାରିଖରେ ସେଠାରୁ ବାହାରିବାବେଳେ ବାଟରେ ଗୁଜରାଟ ପୁଲିସ ତାଙ୍କୁଧରି ୧୪ ତାରିଖରୁ ସେହିମାସ ୨୮ ତାରିଖ ପର୍ଯ୍ୟନ୍ତ ସଂଗରୋଧ ଗୃହରେ ରଖିଥିଲେ। ସେ ୨୮ ତାରିଖ ଅପରାହ୍ନରେ ସେଠାରୁ ବାହାରି ସିଧା ସଲଖ ଅନ୍ୟ ଜଣେ ଶ୍ରମିକଙ୍କ ସହିତ ନିଜ ଗାଁ’ ଅଭିମୁଖେ ସାଇକେଲରେ ଯାତ୍ରା କରିଥିଲେ। ତେବେ ସମ୍ବଲପୁରରୁ ଏହି ସହଯାତ୍ରୀ ଜଣକ କୋ÷ଣସି କାରଣରୁ ହଜିଯିବାପରେ ସେ ତାଙ୍କୁ ଖୋଜି ନପାଇ ସେଠାରୁ ନିଜ ଗାଁ’କୁ ଫେରିଆସିଥିଲେ। ସେ ଦୀର୍ଘ ୧୭ଶହ ୩୬ କି.ମି ଓ ୧୯୦ ଘଂଟା ସାଇକେଲ ଚଳାଇ ଆଜି ଅପରାହ୍ନରେ ନିଜ ଗାଁ’ରେ ପହଂଚିଥିଲେ।

ତେବେ ତାଙ୍କୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେ ନିଜ ଗାଁ’ରେ ଥିବା ସଂଗରୋଧ କେନ୍ଦ୍ରରେ ରହିବାକୁ ଚାହୁଁଥିବାବେଳେ ସେଠାରେ ଅନ୍ୟ କେହି ନଥିବାରୁ ତାଙ୍କୁ ଆଶ୍ରମ ବାଲିକୁଦା କ୍ୱାରେଂଟାଇନରେ ରଖାଯାଇଥିିବା ସରପଂଚଙ୍କ ଠାରୁ ଜଣାପଡିଛି। ତେବେ ସେ ଏଥିପାଇଁ ରାଜି ନଥିବାବେଳେ ମାର୍ଶାଘାଇ ପୁଲିସ ସହାୟତରେ ତାଙ୍କୁ ଏଠାରେ ରଖାଯାଇଥିବା କ୍ଷିରୋଦ ରାଉତ ପ୍ରକାଶ କରିଛନ୍ତି। ତାଙ୍କର ଏହି ଅସୀମ ସାହାସକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।