ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଧାର୍ଯ୍ୟ କ୍ୱାରେଣ୍ଟାଇନ ଅବଧି ବଢ଼ିପାରେ। ପୂର୍ବରୁ ଏହା ୧୪ ଦିନ ଥିବାବେଳେ ଏଣିକି ଏହା ୨୧ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. କେ ଶ୍ରୀନାଥ ରେଡ୍ଡୀ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ରାଜ୍ୟରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଶେଷକରି ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଆସିବା ପରେ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି। ତେଣୁ ଏହି ପରିସ୍ଥିତିର ମୁକାବିଲା ପାଇଁ ସେ କ୍ୱାରେଣ୍ଟାଇନ ଅବଧିକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜିର ଏହି ଆଲୋଚନାରେ ବିଭିନ୍ନ ବିଭାଗର ବହୁ ମନ୍ତ୍ରୀ ଡ. ରେଡ୍ଡୀଙ୍କ ସହ ଆଲୋଚନା କରିଥିବା ବେଳେ ଆଲୋଚନାଟି ବେଶ୍ ଫଳପ୍ରଦ ହୋଇଥିବା ସେ କହିଛନ୍ତି।