କେଜ୍ରିୱାଲ ଦେବେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେବେ କରୋନା ଟେଷ୍ଟ। କେଜ୍ରିୱାଲଙ୍କୁ ହାଲୁକା ଜ୍ୱର ସହ ତଣ୍ଟି ବ୍ୟଥା ହେବା ପରେ ସେ ନିଜକୁ ଆଇସୋଲେଟ କରି ନେଇଛନ୍ତି। ଏଥିସହିତ ତାଙ୍କର ସମସ୍ତ ମିଟିଂ ମଧ୍ୟ ରଦ୍ଦ କରି ଦିଆଯାଇଛି। ଆପନେତା ସୌରଭ ଭରଦ୍ୱାଜ କହିଛନ୍ତି କି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କଠାରେ ସାମନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି। ଆସନ୍ତାକାଲି ଟେଷ୍ଟ ପରେ ଜଣାପଡ଼ିଯିବ ତାଙ୍କୁ କରୋନା ହୋଇଛି କି ନାହିଁ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିବାସରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ବହୁ ଅଧିକାରୀ ସାମିଲ ହୋଇଥିଲେ। ଏତଦବ୍ୟତୀତ କେଜ୍ରିୱାଲ ପ୍ରତିଦିନ ଦ୍ୱିପ୍ରହରରେ ଦିଲ୍ଲୀରେ କରୋନା ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥାନ୍ତି।

ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୬୫୪କୁ ବୃଦ୍ଧି ପାଇଥିବାବେଳେ ଗତ ୨୪ ଘଣ୍ଟାରେ ୧୩୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆଉ ଏବେ ସୁଦ୍ଧା ୭୬୧ ଜଣଙ୍କର ମୃତ୍ୟୁ ଘଟିଛି।