କୃଷି ଆଇନର ନକଲକୁ ଚିରିଲେ କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷିଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିଲା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ଏହି ଆଇନକୁ ଦୃଢ ବିରୋଧ କରିବା ସହ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେଜ୍ରିିୱାଲ ଗୁରୁବାର ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନର ନକଲ ଚିରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଉ କେତେ ଜଣ କୃଷକ ଆତ୍ମ ବଳିଦାନ ଦେଲେ ତାଙ୍କର ଦାବି ପ୍ରତି କର୍ଣ୍ଣପାତ କରାଯିବ ବୋଲି ମୁଁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଛି। ପ୍ରତ୍ୟେକ କୃଷକ ଭଗତ ସିଂ ପାଲଟିଛନ୍ତି। କୃଷକଙ୍କ ସହ ସରକାର ଆଲୋଚନା ଜାରି ରଖିଛନ୍ତି ବୋଲି ଦୃଢୋକ୍ତି କରୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ସଂସଦରେ ପାସ୍ ହୋଇଥିବା ନୂଆ କୃଷି ଆଇନକୁ ଲାଗୁ କରିବା ପାଇଁ ସରକାର ତତ୍ପର ହୋଇଉଠିଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।