ଗୁଜରାଟ ଉପରେ ଆପ୍‌ର ନଜର, ଆଜି କେଜ୍ରିଓ୍ବାଲଙ୍କ ଗୁଜୁରାଟ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ପରେ ଏବେ ଗୁଜରାଟ ଉପରେ ଆପ୍‌ର ନଜର । ଚଳିତ ବର୍ଷ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଏବେ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏ କ୍ରମରେ ଆଜି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗୁଜୁରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଗୋଟିଏ ସପ୍ତାହ ମଧ୍ୟରେ ଏହା କେଜ୍ରିଓ୍ବାଲଙ୍କ ଦ୍ବୀତିୟ ରାଜକୋଟ ଗସ୍ତ ହେବ । ଆଜି କେଜ୍ରିଓ୍ବାଲ ଦିନ ଗୋଟାଏ ସମୟରେ ପୋରବନ୍ଦର ବିମାନବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ସିଧା ସଳଖ ଗିରିସୋମନାଥ ଜିଲ୍ଲାରେ ଥିବା ଭେରାବାଲ ଅଭିମୁଖେ ଯାତ୍ରା କରିବେ । ସେଠାରେ ଅପରାହ୍ନ ୩ଟାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏ ଅବସରରେ ଆସନ୍ତା ବିଧାନସଭା ନିର୍ବାଚନ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି ।

ପରେ କେଜ୍ରିଓ୍ବାଲ ରାଜକୋଟ ଅଭିମୁଖେ ଯିବେ । ସେଠାରେ ସେ ସଞ୍ଜୟ ରାଜଗୁରୁ କଲେଜ ପରିସରରେ ନିର୍ମିତ ଏକ ମନ୍ଦିରକୁ ଯାଇ ମହାଆଳତୀରେ ସାମିଲ ହେବେ । ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଗତ ସପ୍ତାହରେ କେଜ୍ରିଓ୍ବାଲ ରାଜକୋଟ ଗସ୍ତ କରିଥିଲେ । ସେଠାରେ ସେ ବ୍ୟବସାୟୀଙ୍କ ଏକ ସାଧାରଣ ସଭାକୁ ସମ୍ଭୋଧିତ କରିଥିଲେ । ଯଦି ରାଜ୍ୟରେ ଆପ ସରକାର ଗଢେ ତେବେ ବ୍ୟବସାୟୀଙ୍କ ପାଇଁ ୫ଟି ଗ୍ୟାରେଣ୍ଚି ଲାଗୁ କରାଯିବ ବୋଲି ସେ କହିଥିଲେ ।