ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିବାଦୀୟ କୃଷି ବିଲ୍କୁ ସମ୍ପର୍କରେ ଦିଲ୍ଲୀ ବିଧାନସଭାରେ ଦେଇଥିବା ନିଜ ଭାଷଣରେ ଉପରିସ୍ଥ ସଦନର ଘୋର ଅବମାନନା କରିଥିବା ସମ୍ପର୍କରେ ଆରୋପ ଲଗାଇଛନ୍ତି ରାଜ୍ୟସଭା ସଦସ୍ୟ ସୋନଲ ମାନସିଂହ। ଏନେଇ ରାଜ୍ୟସଭା ସଭାପତି ଭେଙ୍କିୟା ନାଇଡୁଙ୍କୁ ସୋନଲ ଏହି ନୋଟିସ୍ ପଠାଇବା ସହ କେଜରିୱାଲ୍ ଡିସେମ୍ବର ୧୭ରେ ଦିଲ୍ଲୀ ବିଧାନସଭାରେ ଦେଇଥିବା ଭାଷଣର ସିଡି ମଧ୍ୟ ପଠାଇଛନ୍ତି।
ମାନସିଂହଙ୍କ ଅଭିଯୋଗ ଅନୁସାରେ, ବିନା ମତଦାନରେ ରାଜ୍ୟସଭାରେ ତିନୋଟି ଯାକ କୃଷିବିଲ୍ ପାରିତ ହୋଇଥିବା କେଜରିୱାଲ୍ ନିଜ ଭାଷଣରେ କହିଥିଲେ। ତେବେ ବହୁମତରେ ରାଜ୍ୟସଭାରେ ବିଲ୍ ପାସ୍ କରିବା ନିୟମ ରହିଛି। ସେପ୍ଟେମ୍ବର ୨୦ରେ ପାରିତ ହୋଇଥିବା କୃଷି ଆଇନ୍ ସର୍ବସମ୍ମତିକ୍ରମେ ପାରିତ ହୋଇଥିବା ବେଳେ ଏହା କୃଷକମାନଙ୍କର ହିତ ଉଦ୍ଦେଶ୍ୟରେ ବୋଲି ସୋନଲ ମାନସିଂହ କହିଛନ୍ତି। ତେବେ କେଜରିୱାଲ୍ ରାଜ୍ୟସଭାର ଅବମାନନା କରି କୃଷିବିଲ୍ ଫାଡ଼ି ଦେଇଥିଲେ। କେଜରିୱାଲ୍ ରାଜ୍ୟସଭାର ଅବମାନନା କରିଛନ୍ତି, ତେଣୁ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ମାନସିଂହ ନୋଟିସରେ କହିଛନ୍ତି।