ଅଲଗା କୋଶଲ ରାଜ୍ୟ ଦାବିକୁ କେସିଙ୍ଗାରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ଅଲଗା କୋଶଲ ରାଜ୍ୟ ଦାବିରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଦ୍ଵାରା ସେପ୍ଟେମ୍ବର ୭ ତାରିଖରେ ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି ଏହାକୁ ସମର୍ଥନ କରି କେସିଙ୍ଗା ସହର ଓ ଆଖପାଖ ଅଞ୍ଚଳର ଅନେକ ସଂଗଠନ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଓ ସାଧାରଣ ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି। ଫଳରେ କେସିଙ୍ଗା ସହରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସମସ୍ତ ବ୍ୟାଙ୍କ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀକାଳୀନ ଗାଡିକୁ ଛଡା ଯାଉଥିବା ଦେଖିବାକୁ ମିଳିଛି।

ପୂର୍ବରୁ ବନ୍ଦ ର ସୂଚନା ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ବନ୍ଦ ଥିବା ବେଳେ କିଛି ମାଲ ବୋଝେଇ ଟ୍ରକ ଓ ଅନ୍ୟ ଛୋଟ ଯାନ ବାହନ ଆନ୍ଦୋଳନ କାରୀମାନେ ଭେଟେନାରୀ ଛକ ଓ ବଲାଙ୍ଗିର ଛକରେ ରାଜରାସ୍ତା ୨୬କୁ ଅବରୋଧ କରିଥିବାରୁ ସେଠାରେ ଅଟକିଥିବା ନଜରକୁ ଆସିଛି।ବନ୍ଦ ପାଇଁ କୌଣସି ଗାଡି ଚାଳକ କିମ୍ବା ସାଧାରଣ ଲୋକଙ୍କୁ ଅସୁବିଧା ନହୁଏ, ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନ କାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ପୂର୍ବରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଦ୍ୱାରା ଭୁବନେଶ୍ୱର ଚାଲ ଡାକରା ଦେଇ ଗତ ଜୁଲାଇ ୫ ତାରିଖରେ ବିଧାନସଭା ଘେରାଉ କରିସାରିଛି।

ଆଜିର ଏହି ବନ୍ଦକୁ ଆଠମଲ୍ଲିକ ସବ ଡିଭିଜନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସମେତ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାରେ ପାଳନ କରାଯାଉଛି। ପଶ୍ଚିମ ଓଡିଶାକୁ ସବୁବେଳେ ରଙ୍ଗୀନ ସ୍ୱପ୍ନ ଦେଖାଇ ମାନବ ସମ୍ପଦରେ ପରିପୂର୍ଣ୍ଣ କୋଶଲାଞ୍ଚଳକୁ ଉପକୂଳ ଓଡିଶାର ଉପନିବେଶ ଭାବେ ଶୋଷଣ କରାଚାଲିଛି ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି। ଆଜିର ଏହି ବନ୍ଦରେ ବିଜୟ ଦୀପ, ରାମକୁମାର ଜୈନ, ରୋହିତ ଜୈନ, ଟିକେମନ ଦୀପ, ସୁବାସ ଜୈନ, ନରସିଂହ ନିଆଲ, ମୋହନ ସାହା, ମୋତି କୈବର୍ତ୍ତ, ବିଶ୍ୱାସୀ ନାଏକ ପ୍ରମୁଖଙ୍କ ସହ ବହୁ ସାଧାରଣ ଲୋକ ବନ୍ଦ ପାଳନରେ ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ପୁଲିସ ଦ୍ଵାରା ସମସ୍ତ ପ୍ରସ୍ତୁତ କରାଯାଇ କେସିଙ୍ଗା ସହରର ସମସ୍ତ ଛକରେ ପୁଲିସ ମୁତୟନ ହୋଇଥିଲେ।