ଭୁବନେଶ୍ବରରେ ହେବ ଟାଟା ମେମୋରିଆଲ କ୍ୟାନସର ହସପିଟାଲ

କେନ୍ଦ୍ର ଦେବ ୪୦୦ କୋଟି, ଟାଟା ଦେବ ୨୫୦ କୋଟି ଟଙ୍କା

ଭୁବନେଶ୍ବର,ଏନ୍ଏନ୍ଏସ୍: ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ସ୍ବାକ୍ଷରିତ ହୋଇଛି ।

ଏହି ହସପିଟାଲରେ ମୋଟ ୬୦୦ କୋଟି ଟଙ୍କା ବ୍ୟୟ ହେବ । ଏହା ମଧ୍ୟରୁ ୪୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରାଳୟ, ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇ ଦେବେ । ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ହସପିଟାଲ ପାଇଁ ୪୦ ଏକର ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବେ । ଏହା ସହିତ ରାଜ୍ୟ ସରକାର ରେଡିଓ ଆଇସୋଟପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ ମେସିନ ଯୋଗାଇ ଦେବେ ।

ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲ ପାଇଁ ନାଇଜର ୧୭ ଏକର ଜମି ଯୋଗାଇ ଦେବ । ପରେ ଏହାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କ୍ୟାନସର ହସପିଟାଲ କେବଳ ଓଡ଼ିଶାବାସୀ ନୁହନ୍ତି, ରାଜ୍ୟ ବାହାରର ଲୋକମାନଙ୍କ ବି ଆବଶ୍ୟକତା ମେଣ୍ଟାଇବ । ଏହି ହସପିଟାଲ ସ୍ଥାପନକୁ ସାକାର କରିଥିବାରୁ ସେ କେନ୍ଦ୍ର ସରକାର, ଟାଟା ଟ୍ରଷ୍ଟ ଓ ନାଇଜରକୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ବୟର ଏକ ଉଦାହରଣ ବୋଲି ସେ କହିଛନ୍ତି ।