ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଐତିହାସିକ ରାଜପଥ କର୍ତ୍ତବ୍ୟପଥ ନାମରେ ନାମିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ଗୁରୁବାର) କର୍ତ୍ତବ୍ୟପଥର ଶୁଭାରମ୍ଭ କରିବେ । ଦିଲ୍ଲୀର ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଏହି ରାସ୍ତାକୁ ସନ୍ଧ୍ୟା ୭ଟାରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଆଜି ମୋଦି ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ଇଣ୍ଡିଆ ଗେଟ୍‌ରେ ଅନାବରଣ କରିବେ ।

ବର୍ଷ ବର୍ଷ ହେଲାଣି ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ଏହି ରାସ୍ତାର ଭିତ୍ତିଭୂମି ପ୍ରଭାବିତ ହୋଇଥିଲା । ଏଠାରେ ଶୌଚାଳୟ, ପାନୀୟ ଜଳ, ଷ୍ଟ୍ରିଟ ଫର୍ଣ୍ଣିଚର ଏବଂ ଆବଶ୍ୟକୀୟ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ନଥିଲା । ଏହାସହିତ ଲୋକଙ୍କ ଯାତାୟତକୁ ପ୍ରଭାବିତ ନ କରି ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆବଶ୍ୟକୀୟ ସ୍ଥାନର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପ ଅଧିନରେ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଇଛି । କର୍ତ୍ତବ୍ୟପଥରେ ଲ୍ୟାଣ୍ଡସ୍କେପ, ଲନ, ନବୀକରଣ କରାଯାଇଥିବା କେନାଲ, ସାଇନବୋର୍ଡ, ଉନ୍ନତ ବ୍ଲକ ଓ ଭେଣ୍ଡିଂ କିଓସ୍କ ରହିବ ।

ରାଜପଥର ଉଦଘାଟନୀ ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜରୁରୀ ଆବଶ୍ୟକତା ନଥିବା କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ ଏବଂ କେତେକ କର୍ମଚାରୀଙ୍କୁ ବ୍ୟକ୍ତିଗତ ଗାଡି ବଦଳରେ ସର୍ବସାଧାରଣ ଯାନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଏହାସହିତ ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରଣାଳୟ ଗୁଡିକର ଅଫିସ ଗୁଡିକୁ ବନ୍ଦ ରଖିବାକୁ ଦିଲ୍ଲୀ ପୋଲିସ କହିଛି ।