ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ, ସୋମଦତ୍ତ ଓଡିଶା ଟପ୍ପର

ଭୁବନେଶ୍ବର,ଏନ୍ଏନ୍ଏସ୍: ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଘଋଋଞ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ସୋମଦତ୍ତ ନାୟକ ରାଜ୍ୟ ଟପ୍ପର ହୋଇଥିବାବେଳେ ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସୋମଦତ୍ତ ନାୟକ ୯୯.୯୯ ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂରେ ୩୯ରେ ରହିଛନ୍ତି ।

ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଓଡ଼ିଶା ଭାଷାରେ ୮୨୨ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଅନ୍ୟପଟେ ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ପରୀକ୍ଷା ଦେବା ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ମଧ୍ୟରୁ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛନ୍ତି । ଦେଶରେ ୧୦ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨ଜଣ ସ୍ଥାନ ପାଇଛନ୍ତି । ଦ୍ବିତୀୟ ସ୍ଥାନରେ ପ୍ରିତମ ଗୋଚ୍ଛାୟତ ଓ ୫ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି ।

ପ୍ରକାଶିତ ନିଟ୍ ୟୁଜି ପରୀକ୍ଷାରେ ରାଜସ୍ଥାନରେ ତନିସ୍କା ଟପ୍ପର ହୋଇଛନ୍ତି । ଦିଲ୍ଲୀର ବତ୍ସା ଆଶିଷ ବାତ୍ରା ଦ୍ବିତୀୟ, କର୍ଣ୍ଣାଟକର ହୃଷୀକେଷ ନାଗଭୂଷଣ ଗାଙ୍ଗୁଲେ ଓ ରୁଚା ପାୱାସେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିଗ୍ରହଣ କରିଛନ୍ତି । ମୋଟ ୭୨୦ ନମ୍ବରରୁ ଏମାନେ ୭୧୫ ଲେଖାଏ ମାର୍କ ରଖିଛନ୍ତି । ଟାଇବ୍ରେକର ପଦ୍ଧତ୍ତି ଆଧାରରେ ତନିସ୍କାଙ୍କୁ ପ୍ରଥମ ସ୍ଥାନ ମିଳିଛି । ତନିସ୍କା ଓବିସି ଓ ମହିଳା ବର୍ଗର ପରୀକ୍ଷାର୍ଥୀ । ୯ ଜଣ ପିଲା ମୋଟ ନମ୍ବରରୁ ୭୧୦ ଲେଖାଏଁ ରଖିଛନ୍ତି । ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକର ୬ ଜଣ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ ରାଜସ୍ଥାନ, ତେଲେଙ୍ଗାନା, ପଞ୍ଜାବ, ଜମ୍ମୁ ଓ କଶ୍ମୀରରୁ ଜଣେ ଲେଖାଏଁ ରହିଛନ୍ତି । ଟପ ୫୦ ରାଙ୍କ ଭିତରେ ୧୮ ଜଣ ଛାତ୍ରୀ ରହିଛନ୍ତି । ବାକି ୩୨ ଛାତ୍ର ୫୦ ରାଙ୍କ ଭିତରେ ରହିଛନ୍ତି ।

ଚଳିତ ବର୍ଷ ଜୁଲାଇ ୧୭ରେ ପରୀକ୍ଷା ହୋଇଥିଲା । ୭,୯୩,୫୪୫ ଜଣ ଛାତ୍ରଙ୍କ ମଧ୍ୟରୁ ୪,୨୯,୧୬୦ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୧୦, ୦୧,୦୧୫ ଛାତ୍ରୀଙ୍କ ମଧ୍ୟରୁ ୫,୬୩,୯୦୨ ଜଣ କୃତକାର‌୍ୟ୍ୟ ହୋଇଛନ୍ତି। ଦେଶରେ ୪୯୭ଟି ସହର ଓ ବାହାରେ ୧୪ଟି ସହରରେ ୩,୫୭୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।