ଶବ ସତ୍କାର କଲା କନ୍ଧମାଳର ଟିମ୍‌ ହ୍ୟୁମାନିଟି

ବାଲିଗୁଡା,ଏନ୍‌ଏନ୍‌ଏସ୍‌: ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍‌ର ଗୁଟିଙ୍ଗିଆ ଗ୍ରାମର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା। କିନ୍ତୁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ ଶବ ସତ୍କାର ହୋଇପାରୁନଥିଲା। ଏଭଳି ଅସହାୟ ପରିସ୍ଥିତିରେ କନ୍ଧମାଳର ଟିମ୍ ହ୍ୟୁମାନିଟି ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଖବର ପାଇବା ପରେ ଟିମ୍ ସଦସ୍ୟ ହିରୋ ନାୟକ, ନୀଳମାଧବ ପାତ୍ର, ଗୋବିନ୍ଦ ସ୍ୱାଇଁ, ପ୍ରମେଶ ଦିଗାଲ ତୁରନ୍ତ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚି ଶବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଟିମ୍ ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସରେ ନିକଟସ୍ଥ ସ୍ମଶାନରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତି ଅନୁଯାୟୀ ଶବ ସତ୍କାର କରିଥିଲେ।

ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମ୍‌ର ଆବାହକ ଭି. ଲୋକନାଥ ରାଜୁ ତୁରନ୍ତ ତା’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି। ଟିମ୍ ହ୍ୟୁମାନିଟି କନ୍ଧମାଳର ଏଭଳି ମହାନ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି।