ଓଡ଼ିଶାରେ ପ୍ରତିଷ୍ଠା ହେବ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର, ଏନରାଫ ନୋନିଅସ ଓ ଏବିଜେ ଫାଉଣ୍ଡେସନ ମଧ୍ୟରେ ବୁଝାମଣା

ଭୁବନେଶ୍ବର,ଏନ୍ଏନ୍ଏସ୍: ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ନେଦରଲାଣ୍ଡର ଏନରାଫ ନୋନିଅସ ପକ୍ଷରୁ ଆସିଥିବା ତାଙ୍କ ମ୍ୟାନେଜିଂ ଡାଇରେକ୍ଟର ସୁନୀଲ କୁମାର ଅଗ୍ରଓ୍ବାଲ ଓ ସିଇଓ ଡ. ଏପି ଚୌଧୁରୀ ଏବିଜେ ଫାଉଣ୍ଡେସନର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ହାତୀଙ୍କ ସହ ଆଲୋଚନା ହୋଇ ଚୁକ୍ତି ବୁଝାମଣା ଶେଷ ହୋଇଛି। ପ୍ରାୟ ୧୦ ହଜାର କୋଟିର ପୁଞ୍ଜି ନିବେଶ ହେବା ପାଇଁ ଯାଉଥିବା ବେଳେ ଓଡ଼ିଶାରୁ ଏହି ସ୍ବାସ୍ଥ୍ୟ ବିପ୍ଳବ ଆରମ୍ଭ ହେବ ବୋଲି ଏବିଜେ ଫାଉଣ୍ଡେସନ ସୂଚନା ଦେଇଛି।

୯୫ ବର୍ଷ ଧରି ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛି ନେଦରଲାଣ୍ଡର ଏନରାଫ ନୋନିମସ। ଏହାର ସ୍ବାସ୍ଥ୍ୟ ଉପକରଣ କାନାଡା, ଆମେରିକା ଠାରୁ ନେଇ ବିଶ୍ବର କୋଣ ଅନୁକୋଣରେ ବ୍ୟବହୃତ ହୋଇଥାଏ। ତେବେ ଏନରାଫ ଏବେ ଭାରତୀୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଯାଉଛି। ଓଡ଼ିଶାର ଏବିଜେ ଫାଉଣ୍ଡେସନ ସହାୟତାରେ ଏନରାଫ ଓ ଏବିଜେ ଫାଉଣ୍ଡେସନ ମିଶି ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ବିପ୍ଳବ ଆଣିବାକୁ ଯାଉଛନ୍ତି। ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ମିଳିତ ସହଯୋଗରେ ଆନ୍ତର୍ଜାତୟ ମାନର ସୁପର ସ୍ପେଶିଆଲିଟି ହସ୍ପିଟାଲ, ଡାଇଗ୍ନେଷ୍ଟିକ ସେଣ୍ଟର ପ୍ରତିଷ୍ଠା ସହ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୂପାନ୍ତରଣ କରାଯିବ। ଏନେଇ ୧୦ ହଜାର କୋଟି ଟଙ୍କା ନିବେଶ କରାଯିବ। ସବୁଠାରୁ ବଡ଼ କଥା ହେଉଛି, ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ୍‌ ହେବ ଓ ସେଠାରେ କ୍ୟାସ କାଉଣ୍ଟର ରହିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷମାନ ଭାରତ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା ଓ ପ୍ରାଇଭେଟ ହେଲ୍ଥ କାର୍ଡ ଏଠାରେ ଉପଲବ୍ଧ ରହିବ। ଫଳରେ ଗରିବ ରୋଗୀ ଉପକୃତ ହୋଇପାରିବେ।

ଏନେଇ ଅପହଞ୍ଚ ଅଞ୍ଚଳ ଓ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ସେବା ଫୋକସରେ ରହିବ। ଏହା ଭାରତର ପ୍ରଥମ କ୍ୟାସଲେସ ହସ୍ପିଟାଲ ହେବାକୁ ଯାଉଥିବା ବେଳେ ଓଡ଼ିଶାରୁ ଏହାର ଶୁଭାରମ୍ଭ କରାଯିବ। ସରକାରଙ୍କ ସହବନ୍ଧିତାରେ ପିପିପି ମୋଡରେ ସ୍ବାସ୍ଥ୍ୟସେବା ସୁଗମ କରାଯିବ। ୨୦୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ସହ ମେଡ଼ିକାଲ କଲେଜ, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର, ଜିଲ୍ଲା ହସ୍ପିଟାଲର ଅପଗ୍ରେଡେସନ ହେବା ଦ୍ବାରା ୧୦ ହଜାର ପାଖାପାଖି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ୫୦ ହଜାର ଲୋକଙ୍କ ଜୀବନଜୀବିକା ସୁବ୍ୟବସ୍ଥିତ ହୋଇପାରିବ। ଏହି ସ୍କିମ୍‌ ଓଡ଼ିଶା ତଥା ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ତିଆରି କରିବ।