କନ୍ଧମାଳ ଦଙ୍ଗା ଘଟଣା: ପ୍ରମାଣ ଅଭାବରୁ ୩୨ ଜଣ ନିର୍ଦ୍ଦୋଷରେ ଖଲାସ

ବାଲିଗୁଡା,ଏନ୍ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ୍‌ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ୪ ଜଣ ସହଯୋଗୀ ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର କରି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ କନ୍ଧମାଳ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ୩୨ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ପ୍ରକାଶ ଯେ, ଦାରିଙ୍ଗବାଡି ଥାନା କେଶ ନଂ.୫୭/ତା.୦୨.୦୯.୨୦୦୮ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ଆଧାରରେ କେସ୍‌ ଚାଲିଥିଲା। ତାହାର ଶୁଣାଣୀରେ କନ୍ଧମାଳ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆାଯାଇଛି। ଏହି ମକୋଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ।