ଭୁବନେଶ୍ୱରରେ କନ୍ଧମାଳ ଷ୍ଟ୍ରବେରିର ଚାହିଦା ବୃଦ୍ଧି

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ଦିନକୁଦିନ ଚାହିଦା ବୃଦ୍ଧି ପାଇବା ସହ ବେଶ୍ ଭିଡ଼ ମଧ୍ୟ ଜମୁଛି । ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ଯିଏ ଯାଉଛି, ସିଏ କିଣୁଛି । ଆମ ମାଟିରେ ଷ୍ଟ୍ରବେରି ଫଳୁଛି । ଆମେ ଯଦି ଏହାକୁ କିଣି ସେମାନଙ୍କୁ ଲାଭ ନ ଦେବା ତା’ହେଲେ ସେମାନଙ୍କ ବ୍ୟବସାୟ ହେବ କିଭଳି । ଆଉ ଏହି ଷ୍ଟ୍ରବେରି ସୁସ୍ୱାଦୁ ବୋଲି ଜଣେ ଗ୍ରାହକ କହିଛନ୍ତି ।

ଷ୍ଟ୍ରବେରି ଚାଷୀ ମିଙ୍କୁଲତା ପ୍ରଧାନ କହିଛନ୍ତି ଯେ, ଆମେ ଆଗରୁ ଅଲଗା ପରିବା ଚାଷ କରୁଥିଲୁ । ମାତ୍ର ଗତ ବର୍ଷ ସରକାରଙ୍କ ପକ୍ଷରୁ ଚାରା ମିଳିବାରୁ ଆମେ ଷ୍ଟ୍ରବେରି ଚାଷ ଆରମ୍ଭ କଲୁ । ନଭେମ୍ବରରେ ଚାରା ଲାଗିଲେ ଜାନୁଆରୀ ଓ ଫେବୃଆରୀ ଭିତରେ ଫଳ ଆସିଯାଏ । ପ୍ରତି ଗଛରୁ ପ୍ରାୟ ୫୦୦ ଗ୍ରାମରୁ ଅଧିକ ଷ୍ଟ୍ରବେରି ଫଳିଥାଏ । ତେବେ ଏଥର ମେଳାରେ ଷ୍ଟଲ ପକାଇଛୁ । ମାଲ୍ ଆସି ପହଞ୍ଚୁ ପହଞ୍ଚୁ ବିକ୍ରି ହୋଇଯାଉଛି । ପ୍ରାୟ ୫୦ ହଜାର ଟଙ୍କାର ବିକ୍ରି ହୋଇସାରିଲାଣି । ଆମ କନ୍ଧମାଳ ଅଞ୍ଚଳରେ ୫ଟି ଗ୍ରୁପ୍ ମିଶି ଏହି ଷ୍ଟ୍ରବେରି ଚାଷ କରୁଛୁ । ପ୍ରତି ଗ୍ରୁପ୍‌ରେ ୧୦ଜଣ ମହିଳା ରହିଛନ୍ତି । ଏହି ଚାଷ ଅଧିକ ଦି ପଇସା ରୋଜଗାର ଦେଉଛି । ଷ୍ଟ୍ରବେରି ଚାଷ ମହିଳାଙ୍କ ଆର୍ôଥକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ ପ୍ରକାଶ କରିଛନ୍ତି ।