୩ ଫୁଟ ଘରେ କଟୁଛି ଜୀବନ

ଫୁଲବାଣୀ/ଖଜୁରିପଡା,ଏନ୍ଏନ୍ଏସ୍ : ଗତ ୩ ବର୍ଷ ହେଲା ଏକ ୩ ଫୁଟିଆ ଘରେ କଟୁଛି ଜୀବନ। ଖଜୁରିପଡ଼ା ବ୍ଲକର ଦାଦପାଜୁ ଗ୍ରାମର ଆରତ କହଁର ପୂର୍ବରୁ ମସ୍ତ୍ରୀକାମ କରୁଥିଲେ। ତେବେ ଗତ କିଛିବର୍ଷ ହେଲା ସେ କୌଣସି ପ୍ରକାର କାମଧନ୍ଦା କରିପାରୁନାହାନ୍ତି। ଖରା, ବର୍ଷା ହେଉ କି ଶୀତ ସବୁବେଳେ ସେହି ୩ ଫୁଟିଆ ଘରେ ପଡ଼ିରହିଥାନ୍ତି। ପୂର୍ବରୁ ଜଣେ ଭଲ ମିସ୍ତ୍ରୀ ଭାବେ ବେଶ୍ ପରିଚିତ ଥିବା ଆରତ ୨୦ ବର୍ଷ ହେଲା ଉକ୍ତ ଗ୍ରାମରେ ବସବାସ କରନ୍ତି। ତାଙ୍କର ନିଜର ବୋଲି କହିଲେ କେହି ନାହାନ୍ତି। ଫଳରେ ଗ୍ରାମବାସୀଙ୍କ ସହଯୋଗରେ ଏକ ଘର ନିର୍ମାଣ କରାଯାଇଥିଲା। ଗତ ୩ ବର୍ଷ ତଳେ ଝଡ଼ ବର୍ଷାରେ ଉକ୍ତ ଘର ଭାଙ୍ଗିଯିବା ପରେ ସେ ଏକ ୩ ଫୁଟିଆ ଘରେ ରହୁଛନ୍ତି।

ଥରେ ଘରୁ ବାହାରି ଭିତରକୁ ଗଲେ ଆଉ ସେ କୌଣସି ପ୍ରକାର ମଧ୍ୟ ବାହାରିନଥାନ୍ତି ବୋଲି କେତେକ ଗ୍ରାମବାସୀ କହିଛନ୍ତି। ଗତ କିଛି ବର୍ଷ ହେଲା ଗ୍ରାମର ମନୋରଞ୍ଜନ ଭୋଇ ଖାଇବାକୁ ଦେଉଛନ୍ତି। ଆଉ କିଏ ଡାକିଲେ ମଧ୍ୟ ସେ ବାହାରୁନାହାନ୍ତି। କେଉଁ କାରଣ ଯୋଗୁଁ ସେ ଏଭଳି ଭାବେ ଜୀବନ ବିତାଉଛନ୍ତି ସଠିକ୍ ଭାବେ ଗ୍ରାମର କେହି କିଛି କହିପାରୁନଥିବା ବେଳେ କୌଣସି ଏକ ମାନସିକ ଚାପରେ ସେ ରହୁଥିବା ମଧ୍ୟ କେତେକ ପ୍ରକାଶ କରିଛନ୍ତି। ଘର ଭିତରକୁ ଯିବାକୁ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡିଥାଏ ଓ ବାହାରିବା ବେଳେ ମଧ୍ୟ ଠିକ୍ ସେହି ବ୍ୟବସ୍ଥା। ଘର ବାହାରେ ଜନଗହଳି ହେଲେ ସେ ବାହାରକୁ ବାହାରନ୍ତି ନାହିଁ। ତାଙ୍କର ରାସନ କାର୍ଡ଼ କିମ୍ବା ଅନ୍ୟ କିଛି କାର୍ଡ଼ ନାହିଁ। ତେବେ ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସାର ଆବଶ୍ୟକ ଥିବା ବେଳେ ଏ ଦିଗରେ ପ୍ରଶାସନ ସହାୟତା କଲେ ସେ ତାଙ୍କର ପୂର୍ବ ସ୍ଥିତିକୁ ଫେରି ଆସିପାରନ୍ତେ ବୋଲି କୁହାଯାଇଛି।