କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ଯୋଜନା ଓ ସମନ୍ୱୟ ବୈଠକ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର କାର୍ଯ୍ୟକାରିଣୀ ଓ ସମନ୍ୱୟ ବୈଠକ ରାମଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଣ୍ଡିଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୩ ବର୍ଷ ପାଇଁ ମହାସଂଘର ଯୋଜନା ଓ ପ୍ରସ୍ତୁତି ସହ ଏହାର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିପରି ସାମାଜିକ ଅନୁଷ୍ଠାନମାନେ ପଞ୍ଚାୟତରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସରକାରଙ୍କ ସହିତ ସମନ୍ୱୟ ରଖି କନ୍ଧମାଳ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ସେ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଜିଲ୍ଲାରେ ଥିବା ମୁଖ୍ୟ ସମସ୍ୟା ଶିକ୍ଷା, ମାଇଗ୍ରେସନ, ଜୀବିକା ଓ ଆଇନ ଭଳି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉପସ୍ଥିତ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସଭ୍ୟା ସାବିତ୍ରି ଦେବୀ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ରବୀନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ଦଣ୍ଡପାଟ ଓ କେଶମତି ପ୍ରଧାନ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, ଜଳନ୍ଦର ବେହେର ଦଳେଇ, ଫାଦର ମଦନ ସୁଆଲ ସିଂ, ଲିଙ୍ଗରାଜ ପ୍ରଧାନ ଓ ସାନ୍ତନୁ ମିଶ୍ର ପ୍ରମୁଖ ସାଂଗଠନିକ ସୁଦୃଢ଼ୀକରଣ ଉପରେ ମତପ୍ରକାଶ କରିଥିଲେ । ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ଆଗାମୀ ଦିନରେ କିପରି ରାଜ୍ୟରେ ଏକ ଆଦର୍ଶ ଅନୁଷ୍ଠାନ ହୋଇ କାର୍ଯ୍ୟ କରିବ ସେନେଇ ଅନେକ ସଦସ୍ୟ ମତ ଦେଇଥିଲେ । ଆବାହକ ଇଂ. ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ ।