ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାବେ ବୈଷୟିକ ଶିକ୍ଷା ପାଇଁ ଖୋଲାଯାଇଥିବା ଆଇଟିଆଇ କଲେଜ ପରିଦର୍ଶନ ଓ ସିଲେଇ ପ୍ରାକ୍ଟଟିକାଲ କକ୍ଷ ବୁଲି ପିଲାଙ୍କ ଅଭାବ ଅସୁବିଧା ବୁଝିଥିଲେ । ଛାତ୍ରାବାସ ନିର୍ମାଣ ପାଇଁ ଛାତ୍ରଛାତ୍ରୀ ଦାବୀ କରିଥିଲେ। ଏସବୁ ଦେଖିବା ପରେ ଅଧ୍ୟକ୍ଷା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେବାସହ ଜଳଛାୟା ବିଭାଗ ପକ୍ଷରୁ ଜାକେଶିର ଚାଷୀଙ୍କ ସାମୂହିକ ବିକାଶ ପାଇଁ ନିର୍ମାଣ କରାଯାଇଥିବା ଚେକ୍ ଡ୍ୟାମ ଓ କେନାଲକୁ ପରିଦର୍ଶନ କରିଥିଲେ । ପରେ କୋଟଗଡ଼ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ନୂତନ ମିଶନ ଗୃହର ଶୁଭ ଉଦଘାଟନ କରିଥିଲେ । ଏଥିରେ ଅଧ୍ୟକ୍ଷାଙ୍କ ସମେତ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ମନୋଜ ସାବତ, ଏପିଡି ରାଜେଶ ବେହେରା ଓ କୋଟଗଡ଼ ବିଡିଓ ଅର୍ଜୁନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷାଙ୍କ ଏଭଳି ବିଭିନ୍ନ ବ୍ଲକ୍ ଗସ୍ତ ସହ ବିଭିନ୍ନ ସରକାରୀ ଯୋଜନାର ବିିକାଶକୁ ପରିଦର୍ଶନ କରିବା ଦ୍ୱାରା ସାମୁହିକ ବିକାଶ ଓ ବିଭିନ୍ନ ଉନ୍ନୟନମୂଳକ କାମ ତ୍ୱରାନ୍ୱିତ କରିବା ନେଇ ଅଧ୍ୟକ୍ଷା ମତ ପ୍ରକାଶ କରିଥିଲେ ।