ଭୋପାଳ,ଏଜେନ୍ସି : ଦେଶର ବେରୋଜଗାରୀ ଓ ଶିଳ୍ପ ସମସ୍ୟା ସମେତ ବହୁ ପ୍ରସଙ୍ଗ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ଏକ ଜନସମାବେଶରେ ଯୋଗଦେଇ କମଲନାଥ କହିଛନ୍ତି, ‘ଗତ ୬-୮ ମାସ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରୁ ବେରୋଜଗାର ଯୁବକ ଯୁବତୀଙ୍କ ପ୍ରତି ପଦୁଟେ ଶୁଣିବାକୁ ମିଳିନି। ଅନେକ ପ୍ରସଙ୍ଗରେ ମୋଦୀ ନିରବତା ଅବଲମ୍ବନ କରୁଛନ୍ତି। କୃଷକଙ୍କ ସମ୍ପର୍କରେ ତାଙ୍କ ମୁହଁରୁ କିଛି ଶୁଣିବାକୁ ମିଳୁନି। ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ମୋଦୀ ବେଶି ବାହାଦୁରି ମାରୁଛନ୍ତି। ସେ ସର୍ଜିକାଲ ଷ୍ଟ୍ରାଇକର ବିସ୍ତୃତ ତଥ୍ୟ ପ୍ରଦାନ କରନ୍ତୁ। ୨୦୧୪ ସାଧାରଣ ନିର୍ବାଚନ ପ୍ରଚାରରେ ସେ ବାର୍ଷିକ ଦୁଇ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଦୁଇକୋଟି କଥା ଛାଡ଼ନ୍ତୁ, ଚାକିରି ପ୍ରଦାନ କରିଥିବା ୨ ଲକ୍ଷ ଯୁବକ ଯୁବତୀଙ୍କ ନାମ କୁହନ୍ତୁ।’
ସେ ପୁଣି କହିଥିଲେ ଯେ ୧୯୭୧ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। ବିଜୟୀ ଭାରତ ନିକଟରେ ପାକିସ୍ତାନର ୯୦ ହଜାର ଯବାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। ସେ ବିଷୟରେ ମୋଦୀ ଲୋକଙ୍କୁ କିଛି କହିବେନି। ସବୁବେଳେ ନିଜର ଆତ୍ମବଡ଼ିମା ଦେଖାଇ କହୁଛନ୍ତି ଯେ ସେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛନ୍ତି। ସେ କେଉଁ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛନ୍ତି, ଦେଶବାସୀଙ୍କୁ କୁହନ୍ତୁ। ୨୦୧୬ ଉରି ଆକ୍ରମଣରେ ୧୯ ଯବାନ ପ୍ରାଣ ହରାଇଥିଲେ। ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀର ଭିତରେ ପଶି ଆତଙ୍କୀ ଶିବିର ଉଡ଼ାଇ ଦେଇଥିଲେ। ସେ ସମ୍ପର୍କରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ ସରକାରଙ୍କଠାରୁ ପ୍ରମାଣ ଦାବି କରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ମୋଦୀ କିଛି କହୁନାହାନ୍ତି।