ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନର ବିରୋଧ

ବେଜିଂ/ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍ ବିରୋଧ କରିଛି। ଉଲ୍ଲେଖଯୋଗ୍ୟ ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିଽତର ଏକ ଅଂଶବିଶେଷ ବୋଲି ଦର୍ଶାଇ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି। ଅରୁଣାଚଳ ପ୍ରଦେଶକୁ ରାଜ୍ୟ ମାନ୍ୟତା ଦିଆଯିବାର ୩୪ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ଲାଗି ଶାହ ଗୁରୁବାର ସେଠାକୁ ଯିବା ପରିପ୍ରେକ୍ଷୀରେ ବେଜିଂ ଏଥିରେ ଘୋର ଆପତ୍ତି ଉଠାଇଛି। ଏହାଦ୍ୱାରା ଚୀନର ଆଞ୍ଚଳିକ ସାର୍ବଭୌମତ୍ୱର ଉଲ୍ଲଙ୍ଘନ ହୋଇଛି ଏବଂ ଭାରତ ସହ ପାରସ୍ପରିକ ବିଶ୍ୱାସରେ ଆଞ୍ଚ ଆସିଛି ବୋଲି ଚୀନ୍ ପକ୍ଷରୁ ଗୁରୁବାର କୁହାଯାଇଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍ ସ୍ୱାଙ୍ଗ୍ କହିଛନ୍ତି, ଚୀନ୍-ଭାରତ ସୀମାରେ ପୂର୍ବାଞ୍ଚଳ ସେକ୍ଟରରେ କିମ୍ବା ଚୀନର ତିଽତ ଅଞ୍ଚଳ ଦକ୍ଷିଣଭାଗରେ ଆମର ସ୍ଥିତି ଅତି ସ୍ପଷ୍ଟ। ଚୀନ୍ ସରକାର ତଥାକଥିତ ଅରୁଣାଚଳ ପ୍ରଦେଶକୁ ଆଦୌ ସ୍ୱୀକୃତି ଦେଇନାହାନ୍ତି। ତେଣୁ ସେହି ଅଞ୍ଚଳକୁ ଭାରତୀୟ ରାଜନେତାଙ୍କ ଗସ୍ତକୁ ଚୀନ୍ ସରକାର ବିରୋଧ କରୁଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି କହିଛନ୍ତି, ଭାରତ ଏଭଳି କିଛି ପଦକ୍ଷେପ ନନେଉ, ଯଦ୍ଦ୍ୱାରା ଦୁଇଦେଶର ସୀମାବିବାଦ ଆହୁରି ଜଟିଳ ହେବ। ଗତ ନଭେମ୍ବରରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁରୂପ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଥିଲା। ସେତେବେଳେ ରାଜନାଥ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ସେଠାକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ କଶ୍ମୀରରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସୀମା ନେଇ ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି। ୨୦୧୯ରେ ଉତ୍ତର-ପୂର୍ବାଞ୍ଚଳ ଚୀନ୍ ମାନଚିତ୍ରରେ ତ୍ରୁଟି ରହିବା ଯୋଗୁଁ ଏହାକୁ ସମ୍ପୃକ୍ତ ସୀମାଶୁଳ୍କ କର୍ତ୍ତୃପକ୍ଷ ନଷ୍ଟ କରିଦେଇଥିଲେ। ଏହି ସମୟରେ ସୀମାଶୁଳ୍କ ବିଭାଗ ପକ୍ଷରୁ ୩୦ ହଜାରରୁ ଅଧିକ ମାନଚିତ୍ର ନଷ୍ଟ କରାଯାଇଥିଲା। ଏଥିରେ ଅରୁଣାଚଳପ୍ରଦେଶକୁ ଭାରତର ଏବଂ ତାଇୱାନକୁ ପୃଥକ୍ ଦେଶ ବୋଲି ଦର୍ଶାଯାଇଥିଲା।