ଆଜି ମହାଶିବରାତ୍ରୀ, ସବୁଠି ଚଳଚଞ୍ଚଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ଗୁରୁବାର ମନ୍ଦିର ଚୂଡ଼ାରେ ନୂଆ ନେତ ଲାଗି ହେବା ସହ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ବିଶେଷକରି ଶୁକ୍ରବାର ଜାଗରଯାତ୍ରା ଦିନ ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ବିଶ୍ୱାସ ରହିଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିବ ପୀଠରେ। ଏକବାର ନୀତିକାନ୍ତି ପାଇଁ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ବାଲ୍ୟଭୋଗ ଲାଗି ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା।

ଏଥିସହ ସମସ୍ତ ସକାଳ ନୀତିକାନ୍ତି ପଅଡ଼କିଆ ଓ ବଡ଼ନୀତି ଆଦି ୨ଟା ସୁଧା ସରିବା ପରେ ମନ୍ଦିର ଗର୍ଭଗୃହକୁ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯିବା ସହିତ ମନ୍ଦିର ଚୂଡ଼ାରେ ନୂଆ ନେତ ବନ୍ଧା ଯାଇଛି। ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଏକବାର ନୀତି ଭୋଗ(ଅନ୍ନ) ଲାଗି କରାଯାଇଛି। ଅନ୍ୟପଟେ ଜାଗର ନୀତିକାନ୍ତି ନିମନ୍ତେ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜାଗରଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବା ସହ ରାତି ୧ଟାରେ ମଣିବାବାଙ୍କ ସୁନାବେଶ ଓ ଭୋର ୫ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ ବୋଲି ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି।