ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ

ଭୋପାଳ,ଏଜେନ୍ସି: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର। ଶୁକବାର ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପୂର୍ବରୁ ସେ ଭୋପାଳ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ନେଇ ଘୋଷଣା କରିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ୨୨ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ପାଖରେ ବହୁମତ ନଥିଲା । ତେଣୁ ସେ ପଦରୁ ଇସ୍ତଫା ଦେଇଛନ୍ତି।

ଭୋପାଳରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କମଲନାଥ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷାରୋପ କରିବା ସହ ଘୋଡ଼ା ବେପାର କରି କଂଗ୍ରେସ ବିଧାୟକମାନଙ୍କୁ କିଣା ଯାଇଥିବା କହିଛନ୍ତି। ଏହାସହ କଂଗ୍ରେସ ବିଧାୟକମାନଙ୍କୁ ଜୋର ଜବରଦସ୍ତ ଇସ୍ତଫା ଦେବାକୁ ଭାଜପା ବାଧ୍ୟ କରିଥିବା ମଧ୍ୟ କମଲନାଥ କହିଛନ୍ତି। ସୂଚନାଯୋଗ୍ୟ, ଖବରଦାତା ସମ୍ମିଳନୀ ସରିବା ପରେ କମଲନାଥ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଗତ ୨ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ଯାହା ଚାଲିଛି ତାହା ଗଣତନ୍ତ୍ରରେ ଏକ ନୂଆ ଅଧ୍ୟାୟ।