ୟୁନିୟନ୍‌ ବ୍ୟାଙ୍କରେ ରହିବ ଜଗା ଟଙ୍କା, ୫.୭୫ % ସୁଧହାରରେ ଟଙ୍କା ଜମା କରାଯିବ

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବ ସେ ନେଇ ଟେଣ୍ଡର ପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମହାପ୍ରଭୁଙ୍କ ଟଙ୍କା ଜମା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫.୭୫ ପ୍ରତିଶତ ସୁଧ ହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀ ମନ୍ଦିର କର୍ପସ ଫଣ୍ଡ ସହିତ ଟେମ୍ପୁଲ ଫଣ୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଟେଣ୍ଡର ପାଇଁ ନୋଟିସ ହୋଇଥିଲା। ଏ ନେଇ ୮ଟି ବ୍ୟାଙ୍କ ଟେଣ୍ଡର ପକାଇଥିଲେ। ଆଜି ଏହି ଟେଣ୍ଡର ଖୋଲାଯିବା ପରେ ଏଥିରେ ୟୁନିୟନ ବ୍ୟାଙ୍କର ନାମ ପ୍ରଥମରେ ରହିଥିବା ଜଣାପଡ଼ିଛି।

ଏହି ଟେଣ୍ଡରେ ୫.୪୦ ପ୍ରତିଶତ ସୁଧ ହାରରେ ଇଣ୍ଡିଆନ ବ୍ୟାଙ୍କ ଦ୍ୱିତୀୟ ସ୍ଥାନ ଓ ୫ ପ୍ରତିଶତ ସୁଧହାରରେ କାନାରା ବ୍ୟାଙ୍କ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି। ତେବେ ୟୁନିୟନ ବ୍ୟାଙ୍କରେ ୩ ବର୍ଷ ପାଇଁ ଫିକ୍ସ ଡିପୋଜିଟ ଆକାରରେ ରଖାଯିବ। ତେବେ ବ୍ୟାଙ୍କରେ କେତେ ଟଙ୍କା ରଖାଯିବ ସେ ନେଇ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି।
ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ଲକ୍ଷ ୨୭ହଜାର ଟଙ୍କା ଏସବିଆଇ ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।