ବାଲିଗୁଡା,ଏନ୍ଏନ୍ଏସ୍: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ଲାଗିରହିଛି। ଏଥିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ବିରିନ୍ଦାପଡ଼ାର ଗ୍ରାମବାସୀଙ୍କ ଲାଇଫ୍ଲାଇନ କୁହାଯାଉଥିବା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସିଯାଇଛି। ଫଳରେ ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହି କାଠ ପୋଲଟି ୱାର୍ଡ଼ ଏବଂ ଗୁଞ୍ଜର ମିଳିତ ଆନୁକୂଲ୍ୟରେ ଗ୍ରାମବାସୀଙ୍କ ସହଯୋଗରେ ତିଆରି ହୋଇଥିଲା।
ଏହି କାଠ ପୋଲ ଦେଇ ବିରିନ୍ଦାପଡ଼ା ସମେତ ବାନ୍ଦାବାଜୁ, ଜ୍ରାବାକେତା ଓ କାଣ୍ଡିକୁଟି ଆଦି ଗାଁ’ର ଲୋକେ ଯିବା ଆସିବା କରିଥାନ୍ତି। କିନ୍ତୁ ଏବେ କାଠ ପୋଲ ଭାସିଯିବା ପରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିରିନ୍ଦାପଡ଼ାରୁ ବହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି, ହେଲେ ଲୋକମାନେ ଏହି କାଠ ପୋଲ ଉପରେ ଅଧିକ ନିର୍ଭର କରି ଯାତାୟାତ କରୁଥିଲେ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ପକ୍କା ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।