ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ମଳେହିପଡ଼ା ପଂଚାୟତ ଅନ୍ତର୍ଗତ କଖାରୁମାଳ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଆଜି କଳସ ଯାତ୍ରା ସହ ଅଧିବାସ ପୂଜନ ଅନୁଷ୍ଠିତ ହୋଇଯାଇଛି । ସଙ୍କୀର୍ତ୍ତନ ସହିତ ଗ୍ରାମର ମା’ମାନେ ସ୍ୱଳ୍ପଘଟିସ୍ଥିତ ଶିବ ମନ୍ଦିର ଝରଣା ନିକଟରେ ପହଞ୍ଚି ପୁରୋହିତ ତ୍ରିନାଥ ନନ୍ଦ ବରୁଣ ଦେବତାଙ୍କୁ ପୂଜାର୍ଚ୍ଚନା ପରେ କଳସରେ ଜଳ ଭର୍ତ୍ତି କରି ବିରାଟ ପଟୁଆରରେ ଯଜ୍ଞ ମଣ୍ଡପରେ ପହଂଚିଥିଲେ । ଏହି ସମୟରେ ପ୍ରତେକ ଘର ସମ୍ମୁଖରେ ସମସ୍ତେ ବନ୍ଦାପନା କରୁଥିଲେ । ସେହିପରି କଙ୍କୁରାର୍ପଣ, ଅଧିବାସ ପୂଜନ ଓ ବ୍ରହ୍ମ ଅଗ୍ନୀ ସ୍ଥାପନ ପୂଜନ ଆଦି ସମାପନ ହୋଇଥିବା ବେଳେ ଆସନ୍ତାକାଲି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ୩୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେବେ । ସଭାପତି ସାଧୁଚରଣ ପ୍ରଧାନ ଓ ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ତତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଉପଦେଷ୍ଟା କମିଟୀର ସଭାପତି ବେଣୁଧର ସାହୁ ଶାନ୍ତି ଶୃଙ୍ଖଳାର ସହ ଯଜ୍ଞ ସମାପନ କରାଯିବ ବୋଲି ପ୍ରକାଶ କରିଥିଲେ ।