ଚାଷୀଙ୍କ କଟନୀ ଛଟନୀ ଓ ଶୋଷଣ ବିରୋଧରେ କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବିଡିଓ ପଦ୍ମନାଭ ପୁରୋହିତଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲା ମଣ୍ଡିରେ ମିଲର ଓ ଦଲାଲଙ୍କ ଦ୍ୱାରା ହେଉଥିବା ଚାଷୀଙ୍କ କଟନୀ ଛଟନୀ ଓ ଶୋଷଣକୁ ବିରୋଧ କରି ସ୍ୱାଭିମାନ ସୁରକ୍ଷା ମଞ୍ଚର ଆବାହକ ସୁରେଶ ରାଓଙ୍କ ଆହ୍ୱାନକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୮ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଯୋଗୁ ଅନେକ ଚାଷୀ ଶୋଷଣର ଶିକାର ହେବାସହ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ତେଣୁ ଚାଷୀଙ୍କ ପାଇଁ ଟୋକାନ ବ୍ୟବସ୍ଥାକୁ ସଦୁପଯୋଗ କରାଯାଇ ମଣ୍ଡିରେ ଧାନ ପଡ଼ିବ ଏବଂ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ବ୍ୟାଙ୍କ ଖାତାରେ ଜମା କରାଯାଉ । ସେହିପରି ଦଲାଲଙ୍କୁ ଚିହ୍ନଟ କରାଯାଇ ତାଙ୍କର ଅସାଧୁ ଟୋକାନକୁ ବାତିଲ କରାଯାଉ, ଚାଷୀଙ୍କୁ ଠିକ ସମୟରେ ଟୋକାନ ବ୍ୟବସ୍ଥା କରାଯାଉ, ଟୋକାନ ଧାର୍ଯ୍ୟ ସମୟରେ ଚାଷୀଙ୍କ ଧାନ ଉଠାଯାଉ, ମଣ୍ଡିରେ ସରକାରଙ୍କ ନିର୍ଦ୍ଦେଶ ଓ ନିୟମର ପାଳନ କରାଯାଉ, ଚାଷୀଙ୍କ କଟନୀ ଛଟନୀ ବନ୍ଦ କରାଯାଉ, ଟୋକନ ଧାର୍ଯ୍ୟ ତାରିଖରେ ଚାଷୀ ମଣ୍ଡିରେ ପହଞ୍ଚିବା ପରେ କିଛି ବ୍ୟତିକ୍ରମ ହୁଏ ତା’ହେଲେ ନିୟୋଜିତ କର୍ମଚାରୀ ଓ ମିଲରକୁ ଦଣ୍ଡିତ କରାଯାଉ, ପର୍ଯ୍ୟାପ୍ତ ମାତ୍ରାରେ ବସ୍ତାର ବ୍ୟବସ୍ଥା କରାଯାଉ, ବସ୍ତା ନାମରେ ହେଉଥିବା କଟନୀ ଛଟନୀକୁ ଓଜନ ଅନୁସାରେ କଟାଯାଉ, ମଣ୍ଡିରେ ଚାଷୀଙ୍କ ପାଇଁ ଆଲୋକ, ପାଣି ଓ ସୁରକ୍ଷା ବ୍ୟବସ୍ଥା କରାଯାଉ, ଚାଷୀଙ୍କ ଟୋକାନ ଯେପରି ଲେପ୍ସ ନହୁଏ ସେଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବା, ଚଳିତ ବର୍ଷା ସ୍ୱଳ୍ପ ବର୍ଷା ଯୋଗୁ ଧାନର ଏଫଏକ୍ୟୁ ମାନ କୋହଳ କରାଯାଉ, ମଣ୍ଡିରେ ନିୟମିତ ଉଚ୍ଚ ପଦାଧିକାରୀ ପରିଦର୍ଶନ କରିବା ବ୍ୟବସ୍ଥା କରାଯାଉ, ଚଳିତ ବର୍ଷ ସ୍ୱଳ୍ପ ବର୍ଷାରେ ହୋଇଥିବା କ୍ଷତିକୁ ଆକଳନ ଅନୁସାରେ ତୁରନ୍ତ ବିମାରାଶି ପ୍ରଦାନ କରାଯାଉ, କଳାହାଣ୍ଡିର ସବୁ ମଣ୍ଡିରେ ଧାନ ସଫା କରିବା ମେସିନର ବ୍ୟବସ୍ଥା କରାଯିବା ଭଳି ୧୮ଟି ଦାବୀ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ଭୁଜବଲ, ତାରିଣୀସେନ ସିଂ, ସୁରେଶ ମାଝୀ, ଶେଷ ମାଝୀ, କିଶୋର ବାଗ, ତୁକୁରାମ ସାହୁ, କମଲେଶ ଭୋଇ, ଦୋଳମଣି ମାଝୀ, ସଞ୍ଜୀବ ମାଝୀ, ଡୋଳାମଣି ମାଝୀ ଓ ଜିତେନ୍ଦ୍ର ମାଝୀଙ୍କ ସମେତ ଅନେକ ଚାଷୀ ସାମିଲ ହୋଇଥିଲେ ।