ଡବଲ ମର୍ଡର: ହତ୍ୟାକାରୀ ମୃତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାରେ ଡବଲ ମର୍ଡର । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ମଦ୍ୟପ ବାପ ନିଜର ୨ ବର୍ଷର ଛୁଆ ସହ ପଡ଼ୋଶୀ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ରାଧେ ସାନ୍ତା ସ୍ତ୍ରୀ ମାଳତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ସ୍ତ୍ରୀକୁ ଠେଙ୍ଗା ଧରି ଆକ୍ରମଣ କରିବା ପାଇଁ ଗୋଡ଼ାଇବାରୁ ଭୟରେ ସେ ଘର ଛାଡ଼ି ଚାଲିଯାଇଥିଲା । ପରେ ଅଧିକ ଆକ୍ରମଣାତ୍ମକ ହୋଇ ରାଧେ ନିଜ ୨ ବର୍ଷର ଛୁଆକୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା । ଏହା ଦେଖି ପଡ଼ୋଶୀ ବୃଦ୍ଧା ଜନାଇ ସାନ୍ତା ଛୁଆକୁ ବଞ୍ଚେଇବାକୁ ଯାଇଥିଲେ । କିନ୍ତୁ ମଦ୍ୟପ ସେହି ବୃଦ୍ଧାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ରାଧେଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ । ବୃଦ୍ଧା ଜନାଇ ସାନ୍ତାଙ୍କ ପୁଅ ସୀମାଞ୍ଚଳ ସାନ୍ତା ଏନେଇ ମୈଦଲପୁର ଥାନାରେ ଏତଲା ଦାୟର କରିଥିଲେ । ଏତଲା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଶବକୁ ଜବତ କରିଥିଲା ଏବଂ ରାଧେଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଥିଲା । ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଏସଡିପିଓ ଆଦିତ୍ୟ ସେନ୍ ଓ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବା ଏସଡିପିଓ ଶ୍ରୀ ସେନ ସୂଚନା ଦେଇଛନ୍ତି ।