୧୪୨୮ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ପଠାଗଲା

ଭବାନୀପାଟଣା,ଏନ୍ଏନ୍ଏସ୍ : ଲକଡାଉନରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେଥି ପାଇଁ ଟ୍ରେନ୍, ବସ୍ ଓ ଅନ୍ୟାନ୍ୟ ଯାନବାହାନ ଦ୍ୱାରା କଳାହାଣ୍ଡିରେ ଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଉଥିବା ବେଳେ ଅନ୍ୟ ରାଜ୍ୟରେ ଥିବା କଳାହାଣ୍ଡିର ଲୋକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାକୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ବସ୍ ଯୋଗେ ୨୨ ହଜାର ୧୧୬ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସେହିପରି କଳାହଣ୍ଡି ଜିଲ୍ଲାରେ ବିଭିନ୍ନ ରାଜ୍ୟର ୧୬୬୨ ଜଣ ପ୍ରବାସୀ ଫସି ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ବ୍ୟବସ୍ଥା କରାଯାଉଛି।

କଳାହାଣ୍ଡିରେ ଫସି ରହିଥିବା ୧୬୬୨ ପ୍ରବାସୀଙ୍କ ମଧ୍ୟରୁ ଗତ ୨୭ ତାରିଖ ସୁଦ୍ଧା ୧୪୨୮ ଜଣ ପ୍ରବାସୀଙ୍କ ସେମାନଙ୍କ ରାଜ୍ୟକୁ ପଠାଯାଇଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।  କଳାହାଣ୍ଡିରେ ଫସିଥିବା ବିହାରରୁ ୪୧୯ ଜଣ, ଛତିଶଗଡକୁ ୨୪, ମହାରାଷ୍ଟ୍ରକୁ ୨୧, କର୍ଣ୍ଣାଟକକୁ ୨୪, ରାଜସ୍ଥାନକୁ ୭୧, ଝାରଖଣ୍ଡକୁ ୩୦୭, ଆନ୍ଧ୍ରପ୍ରଦେଶକୁ ୫୭, ଉତ୍ତରପ୍ରଦେଶକୁ ୨୦୭, ହରିୟଣାକୁ ଜଣଙ୍କୁ ବସ୍ ଏବଂ ଚାରିଚକିଆ ଯାନରେ ପଠାଯାଇଛି। ତେବେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଆହୁରି ୧୯୨ ଜଣ ଓ ସହରାଞ୍ଚଳରେ ୪୨ଜଣଙ୍କୁ ମିଶାଇ ମୋଟ୍ ୨୩୪ ଜଣ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି।

ଏମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ଜିଲ୍ଲାରେ ଫସି ରହିଥିବା ଓ ନିଜ ରାଜ୍ୟକୁ ଫେରିବା ପାଇଁ ଆବେଦନ କରିଥିବା ପ୍ରବାସୀଙ୍କ ପାଇଁ କଳାହଣ୍ଡି ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ରାଜ୍ୟର ଆଞ୍ଚଳିକ ପ୍ରଶାସନ ସହ ସହଯୋଗ କରି ପ୍ରବାସୀଙ୍କ ଯିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଅବଶ୍ୟ ଜିଲ୍ଲା ପ୍ରଶାସନ ଯାନବାହାନ ପାସ୍ ବ୍ୟବସ୍ଥା କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ବସ୍ କିମ୍ବା ଚାରିଚକିଆ ଯାନ ବ୍ୟବସ୍ଥା କରୁଛନ୍ତି ଓ ପ୍ରବାସୀ ଉକ୍ତ ଗାଡ଼ିର ଭଡ଼ା ଖର୍ଚ୍ଚ ନିଜେ ବହନ କରୁଛନ୍ତି।