କନିଷ୍ଠ ଯନ୍ତ୍ରୀ ହତ୍ୟା ମାମଲା, ପୁଲିସର ନିଷ୍କ୍ରିୟତା ବିରୋଧରେ ଥାନା ସମ୍ମୁଖରେ ଧାରଣା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟା ଘଟଣାକୁ ଆଜି ୧୬ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସର ଅପାରଗତା ଯୋଗୁ ହତ୍ୟାକାରୀ ଧରାପଡ଼ି ନାହିଁ । ପାଟଣାଗଡ଼ର ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟାକାରୀକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାର ପ୍ରତିବାଦରେ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ସ୍ଥାନୀୟ ଗଡ଼ ଭିତରୁ ଏକ ଶୋଭାଯାତ୍ରାରେ ବାହାର କରି ପୁଲିସ ଷ୍ଟେସନରେ ପହଞ୍ଚି ପୁଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ । ଧାରଣାସ୍ଥଳକୁ ଥାନାର ସେକେଣ୍ଡ ଅଫିସର ଆସିବାକୁ ମନାକରିବାରୁ ସେଠାରେ କିଛି ସମୟ ପୁଲିସ ଓ ଧାରଣାକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଆନ୍ଦୋଳନାରୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ବସି ପୁଲିସ ବିରୁଦ୍ଧରେ ନାରାବାଜି କରିବା ସହ ବିଜେଡି ଦଳର ଚାପରେ ରହି ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି । ଧାରଣା ଦେଉଥିବା ସମୟରେ କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ଅଚ୍ୟୁତ ସିପୁନ ଖମାରୀ, ରଞ୍ଜିତ ବରିହା ଓ ଜଣେ ମହିଳା କର୍ମୀ ସରସ୍ୱତୀ ବରିହା ଅଚେତ ହୋଇ ପଡ଼ିବାରୁ ପୁଲିସ ଗାଡ଼ିରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା । ପରେ ଧାରଣାସ୍ଥଳକୁ ପାଟଣାଗଡ଼ ଏସଡିପିଓ ଜୌର୍ତିମୟ ଭୁକ୍ତା, ମାଜିଷ୍ଟ୍ରେଟ ଭାବେ ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ ସାହୁ ଓ ଥାନାଧିକାରୀ ଅନନ୍ତ ପ୍ରଧାନ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଧାରଣାରେ ଡିଙ୍ଗର କୁମ୍ଭାର, ସୁଶୀଳ କୁମାର ଗୁରୁ, ବନମାଲି ନାୟକ, ଚୁଡ଼ାମଣୀ ଧରୁଆ, ରଞ୍ଜିତ ସାହୁ, ଦୁଖନାସନ ସାହୁ, ସୁରେନ୍ଦ୍ର ସାହୁ, ସଦାନନ୍ଦ ବାଗ ଓ ଘନଶ୍ୟାମ ବାରିହାଙ୍କ ସହ ବହୁ କୋଶଲ ମୁକ୍ତିମୋର୍ଚ୍ଚାର ସଭ୍ୟ ଯୋଗ ଦେଇଥିଲେ ।