ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ: ଏସପିଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଭବାନୀପାଟଣା,ଏନ୍ଏନ୍ଏସ୍: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟରେ ଦୁଷ୍କର୍ମ ପୀଡିତାକୁ ଥାନାକୁ ନ ଯିବାକୁ ତାଗିଦ କରାଯାଇଥିଲା। ନ୍ୟାୟ ପାଇଁ ପରିବାର କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଜୁନାଗଡ ଥାନା ବାଦଲଦେଇ ଗାଁର ଜଣେ ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ପରେ ସେ ଏବେ ୭ ମାସର ଗର୍ଭବତୀ। ପୀଡିତାର ଦୁଷ୍କର୍ମକାରୀ ଗାଁ ଗୌନ୍ତିଆଙ୍କ ପୁଅ ଜାଣିବା ପରେ ହାତ ଉଠାଇଦେଲା କଙ୍ଗାରୁ କୋର୍ଟ। ପୀଡିତାଙ୍କ ପରିବାରକୁ ପୁଲିସରେ ମାମଲା ରୁଜୁ ନ କରିବାକୁ ଚାପ ପ୍ରୟୋଗ କରାଯାଉଥିବାବେଳେ ନ୍ୟାୟ ପାଇଁ ପୀଡିତା ଓ ତାଙ୍କର ପରିବାର କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ପୀଡିତାଙ୍କ କହିବା ଅନୁଯାୟୀ, ଗାଁ ଗୌନ୍ତିଆଙ୍କ ଘରେ ପୀଡିତା ଜଣଙ୍କ ଦୀର୍ଘ ଦିନ ହେବ କାମ କରିଆସୁଥିଲା। ତାଙ୍କ ବିବାହିତ ପୁଅ ଅମୁଲ୍ୟ ବିଶ୍ୱାଳ ମଧ୍ୟ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରୁଥିଲା। ଯୁବତୀ ଗର୍ଭବତୀ ହେବାପରେ ଉକ୍ତ ଘଟଣାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ମଧ୍ୟ ବସିଥିଲା ଏବଂ ସର୍ବସମ୍ମୁଖରେ ପୀଡିତା ଯୁବତୀ ଗାଁ ଗୌନ୍ତିଆଙ୍କ ପୁଅକୁ ଚିହ୍ନଟ ମଧ୍ୟ କରିଥିଲେ। କିନ୍ତୁ ଅଭିଯୁକ୍ତ ତଥା ଗୌନ୍ତିଆ ପରିବାର ଅଭିଯୋଗକୁ ଖଣ୍ଡନ କରିଥିଲେ। ଫଳରେ କଙ୍ଗାରୁ କୋର୍ଟ କୌଣସି ନିଷ୍ପତ୍ତି ନ ଶୁଣାଇ ହାତଉଠାଇ ଦେଇଥିଲେ।

ପରେ ପୁଲିସ ମାମଲା ରୁଜୁ ନ କରିବାକୁ ସମାଜ ଓ ଗାଁର ଗ୍ରାମରକ୍ଷୀ ଚାପ ପ୍ରୟୋଗ କରୁଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ଜୁନାଗଡ ଥାନାରେ ମାମଲା ରୁଜୁ ହୋଇଥିଲା। ଜୁନାଗଡ ପୋଲିସ ତଦନ୍ତ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ପରିବାର ଗାଁର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୀଡିତାଙ୍କ ପରିବାର ଗାଁରେ ଅସୁରକ୍ଷିତ ମନେ କରୁଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।