ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ଅଭିନେତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ଣରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତେବେ ସେ ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଚିତ୍ର ମଧ୍ୟରେ- ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ପ୍ରଭୃତି ଅନ୍ୟତମ।

ମଞ୍ଚ ଅଭିନେତ୍ରୀ ଭାବେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ରାଜ୍ୟସ୍ତରୀୟ ନାଟକ ସମାରୋହରେ ସାମିଲ ରହିଥିଲେ। ଆଶୁକବି ସ୍ୱର୍ଗତ ଜେମ୍‌ସ ଦାସଙ୍କ ବଡ଼ ଝିଅ ଜ୍ୟୋତ୍ସ୍ନାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ, ଭାଉଜ, ପୁତୁରା, ଝିଆରି ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସଙ୍ଗୀତଜ୍ଞ ଯତୀନ ଦାସ ଓ ବରିଷ୍ଠ ସାମ୍ବାଦିକ ଜ୍ୟୋତିରଞ୍ଜନ ଦାସଙ୍କ ବଡ଼ ଭଉଣୀ ଥିଲେ ଜ୍ୟୋତ୍ସ୍ନା।