୧୧ ବର୍ଷର ପୁରୁଣା ମାମଲା: ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କୁ ୧ ବର୍ଷ ଜେଲଦଣ୍ଡ

ଇନ୍ଦୋର,ଏଜେନ୍ସି: ବର୍ଷ ୨୦୧୧ରେ ମଧ୍ୟପ୍ରଦେଶର ଉଜୈନରେ ହୋଇଥିବା ମାଡ଼ମରା ଘଟଣାରେ ଇନ୍ଦୋରର ସ୍ୱତନ୍ତ୍ର ଅଦାଲତ ଶନିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ୧ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି। ଅଦାଲତ ଏଥି ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବା ସୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ତତ୍କାଳୀନ ଉଜୈନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁ ଓ ସାତ ଜଣ ଅନ୍ୟ ଲୋକଙ୍କର ବିଜେପି କର୍ମୀଙ୍କ ସହିତ ବିବାଦ ହୋଇଥିଲା। ଏହି ମାମଲାରେ ବିଜେପି କର୍ମୀମାନେ ଦିଗବିଜୟ ସିଂହ, ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ସମେତ ମୋଟ ୯ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ।

ଜନପ୍ରତିନିଧିଙ୍କ ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର ନ୍ୟାୟଳୟ ଇନ୍ଦୋରରେ ଶନିବାର ସେହି ମାମଲାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗିବିଜୟ ସିଂହ, ତତ୍କାଳୀନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁ ସମେତ ୬ ଜଣଙ୍କୁ ଦଣ୍ଡ ମିଳିଛି। ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଅଭାବରୁ କୋର୍ଟ ଛାଡ଼ି ଦେଇଛନ୍ତି।