ସ୍ୱାଭିମାନ ଅଂଚଳରେ ଜନ୍ତୁରାଇ ଘଟଣା ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ପାଇଁ ପ୍ରଚେଷ୍ଟା

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ଜନ୍ତୁରାଇ ଗ୍ରାମରେ ଗତ ୨୫ ତାରିଖରେ ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀର ମୃତ୍ୟୁ ପରେ ସଂପୃକ୍ତ ଅଂଚଳ ୨ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। କେବଳ ମତଭେଦ ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଯୋଡ଼ାମ୍ବ, ଜନ୍ତୁରାଇ, ସିନ୍ଧିବେଡ଼ାର ଗ୍ରାମବାସୀମାନେ ମାଓ ରୋଷର ଶୀକାର ହୋଇ ମାଓବାଦୀଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ସରକାରଙ୍କ ବିକାଶ କାର୍ଯ୍ୟକୁ ସମର୍ଥନ କରି ନିଜର ପାରମ୍ପରୀକ ଅସ୍ତ୍ରଶସ୍ତ୍ର ଧରି ସିଦ୍ଧିବେଡ଼ା ଗ୍ରାମ ନିକଟରେ ଗତକାଲି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଠାରୁ କିଛି ଦୂରରେ ମାଓବାଦୀଙ୍କ ସପକ୍ଷବାଦୀ ବୋଲି ଅଭିଯୋଗ ହେଉଥିବା ପଣସପୁଟ, ଅଣ୍ଡ୍ରାପାଲ୍ଲୀ, ରାଲେଗାଡ଼ା, ଯନ୍ତ୍ରୀ ପ୍ରଭୃତି ପଂଚାୟତର ଲୋକେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଜନ୍ତୁରାଇ ଗ୍ରାମବାସୀଙ୍କୁ ଧମକ ଦେଉଥିବା ଓ ଯୋଡ଼ାମ୍ବର ଗାଡ଼ି ଓ ଘର ପୋଡ଼ିଥିବା ପଛରେ ମାଓବାଦୀ ଓ ପଣସପୁଟ ଅଂଚଳର ଲୋକଙ୍କ ହାତ ଥିବା ଯୋଡ଼ାମ୍ବ ଅଂଚଳବାସୀଙ୍କ ମନରେ ସନ୍ଦେହ ଜାତ ହୋଇଛି। ତେଣୁ ଯୋଡ଼ାମ୍ବ ଅଂଚଳବାସୀ ଅନ୍ୟ ପଂଚାୟବାସୀଙ୍କ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି।

ଏଣୁ ଉଭୟ ଗୋଷ୍ଠୀ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେବା ଯୋଗୁଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ପଣସପୁଟ ଅଂଚଳର ଲୋକେ ମାଓବାଦୀଙ୍କୁ ସମର୍ଥନ ଦେଉଥିବା ପ୍ରକାଶ କରୁନଥିବା ବେଳେ ଯୋଡ଼ାମ୍ବ ଅଂଚଳବାସୀ ସେମାନଙ୍କୁ ମାଓ ସପକ୍ଷବାଦୀ ବୋଲି ଅଭିହିତ କରିଛନ୍ତି। ତେବେ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ କେବଳ ଉଭୟ ପକ୍ଷ ମଧ୍ୟରେ ବୈଠକ ମାଧ୍ୟମରେ ସମାଧାନ କରିବାକୁ ପଣସପୁଟ ଅଂଚଳ ଲୋକେ ଚାହୁଁଥିବା ପ୍ରକାଶ କରିଛନ୍ତି। ତେବେ ଏଭଳି ମିଥ୍ୟା ପ୍ରଚାର କରିବା ଦ୍ୱାରା ସ୍ୱାଭିମାନ ଅଂଚଳରେ ପୁଣି ଏକ ଉତେଜନା ବାତାବରଣ ସୃଷ୍ଟି ହୋଇଛି। ତେବେ ଏହି ୨ ଗୋଷ୍ଠୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ପାଇଁ ଚେଷ୍ଟା କରିବାର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନପାରେ। ଯୋଡ଼ାମ୍ବବାସୀ ଜଣକୁ ମାଡ ମାରିଥିବାର ଅଭିଯୋଗକୁ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ଖଣ୍ଡନ କରିଥିବା ବେଳେ ଉଭୟ ଗୋଷ୍ଠୀ କେବଳ ଶାନ୍ତି ଚାହୁଁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେଭଳି ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇନଥିବା ସହ ଉଭୟ ଗୋଷ୍ଠୀ ବିକାଶକୁ ସମର୍ଥନ ଦେଉଥିବା ପ୍ରକାଶ କରି ସଂପୃକ୍ତ ଅଂଚଳରେ ଶାନ୍ତି ଫେରିବା ସହ ବାତାବରଣ ଠିକ ଥିବା ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ଶନିବାର ରାତ୍ରିରେ ପ୍ରାୟ ୨୫ରୁ ଉର୍ଦ୍ଧ ମାଓବାଦୀ ଜନ୍ତୁରାଇ ଗ୍ରାମରେ ସ୍ୱାଭିମାନ ଅଂଚଳର ରାସ୍ତାଘାଟ ସହ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରୁଥିବାରୁ ଲୋକଙ୍କୁ ଧମକ ଦେବା ସହ ମାଡ ମାରିବା ସହ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ନିଜର ଜୀବନ ରକ୍ଷା ପାଇଁ ପଥର ଓ ଢ଼େଲା ମାଡ କରିବା ଫଳରେ ଗଙ୍ଗା ମାଡ଼ି ଓରଫ ଆଡ଼ମା ନାମକ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଜିପ୍ରା ହାପିକା ନାମକ ମାଓବାଦୀ ଗୁରୁତ୍ୱର ଆହତ ହୋଇଥିଲେ।