ବିମାନ କମ୍ପାନୀରେ ଚାକିରୀ ଦେବା ନାଁ’ରେ ଠକେଇ

ଝାରସୁଗୁଡା,ଏନ୍ଏନ୍ଏସ୍ : ବିମାନ କମ୍ପାନୀରେ ଚାକିରୀ ଦେବା ବାହାନରେ ଝାରସୁଗୁଡା ଲଇକେରା ଅଂଚଳର ଜଣେ ଯୁବତୀ ଠକେଇର ଶିକାର ହୋଇଛନ୍ତି। ଯୁବତୀ ଜଣକ ସଂଯୁକ୍ତା ଖଡିଆ ବୋଲି ଜଣା ପଡିଛି। ଠକମାନେ ଇଣ୍ଡିଗୋ ବିମାନରେ ତାଙ୍କୁ ନିଯୁକ୍ତି ଦିଆଯିବା ବାହାନାରେ ପ୍ରଥମେ ୨ ହଜାର ଟଙ୍କା ଓ ପରେ ୫ ହଜାର ଟଙ୍କା ନେଇଥିଲେ। ତେବେ ଗତ ୨୭ ତାରିଖରୁ ଝାରସୁଗୁଡା ସ୍ଥିତ ବିମାନ ବନ୍ଦରରେ ଟ୍ରେନିଂ ହେବ କହି ୩୦ ତାରିଖ ପର୍ଯ୍ୟନ୍ତ ଟ୍ରେନିଂ ଆରମ୍ଭ ନ କରିବାରୁ ଯୁବତୀ ଜଣକ ବିମାନ ବନ୍ଦରକୁ ଆସିଥିଲେ। ସେଠାରେ ଉକ୍ତ ଟ୍ରେନିଂ ବିଷୟରେ ପଚାରିବାରୁ ଇଣ୍ଡିଗୋ ବିମାନ ଝାରସୁଗୁଡାରେ ବିଡିଂ ନେଇ ନାହିଁ ଏହାସହ ଏଠାରେ ନିଯୁକ୍ତି ଅଥବା ଟ୍ରେନିଂ ପାଇଁ କମ୍ପାନୀ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଥିଲେ। ବିମାନ ବନ୍ଦର କର୍ତୃପକ୍ଷଙ୍କ ସହ ଆଲୋଚନା କଲାପରେ ଯୁବତୀ ଜଣକ ଠକାମିର ଶିକାର ହୋଇଥିବା ଜାଣି ଏନେଇ ପୁଲିସର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନରେ ଗ୍ରାଉଣ୍ଡ ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ବାହାରିଥିବା ଦେଖି ସଂଯୁକ୍ତା ଅନ ଲାଇନ ମାଧ୍ୟମରେ ଗତ ୧୪ ତାରିଖ ଆବେଦନ କରିଥିଲେ। ସେ ଆବେଦନ କଲାପରେ ଠକମାନେ ତାଙ୍କଠାରୁ ପ୍ରଥମେ ୨ ହଜାର ଓ ପରେ ୫ ହଜାର ଟଙ୍କା ଏକ ଆକାଉଂଟରେ ଜମା କରିବା ପରେ ୨୭ ତାରିଖରୁ ଝାରସୁଗୁଡା ଏୟାପୋର୍ଟରେ ଟ୍ରେନିଂ ଦିଆଯିବ ଓ ମାସିକ ଦରମା ୩୫ ହଜାର ଦିଆଯିବ ବୋଲି କହିଥିଲେ। ତେବେ ଯୁବତୀ ଜଣକ ଟଙ୍କା ଜମା କଲାପରେ ମଧ୍ୟ ତାଙ୍କୁ ଟ୍ରେନିଂ ପାଇଁ ଡକା ନଯିବାରୁ ସେ ଗୁରୁବାର ଝାରସୁଗୁଡା ବିମନ ବନ୍ଦର ଯାଇ ଏ ବିଷୟରେ ପଚାରିଥିଲେ। ଅନ୍ୟପଟେ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ କହିଛନ୍ତି ଉଡାନ ୩ରେ ଝାରସୁଗୁଡାରୁ ୪ ଟି ଏୟାର ଲାଇନ୍ସ ବିଡିଂ କରିଥିଲା। ସେଥି ମଧ୍ୟରୁ ସ୍ପାଇସଜେଟ ଓ ଏଲାଏନ୍ସ ଏୟାର ସେବା ପ୍ରଦାନ କରୁଥିବା ବେଳେ ଅନ୍ୟ ୨ଟି ଏପର୍ଯ୍ୟନ୍ତ ସେବା ପ୍ରଦାନ କରି ନହିଁ। ଏହାସହ ଇଣ୍ଡିଗୋ ଏୟାର ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ କୌଣସି ବିଡିଂ ଗ୍ରହଣ କରି ନାହିଁ। ତେଣୁ ଝାରସୁଗୁଡା ବିମାନ ବନ୍ଦରରେ ବା କୌଣସି ବିମାନ ବନ୍ଦର କମ୍ପାନୀରେ ଚାକିରୀ କରିବାର ବାହାନାରେ ଟଙ୍କାଦେଇ ଠକାମିର ଶିକାର ନହେବା ପାଇଁ ବିମାନ ବନ୍ଦର ନିର୍ଦ୍ଦେଶକ ସତର୍କ କରିଛନ୍ତି।