ପୁଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ ଦାବି: ଜେଏନୟୁ ଛାତ୍ର ଆନ୍ଦୋଳନ ନେଇ ସଂସଦରେ ଝଡ଼

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହଷ୍ଟେଲ୍ ଫି’ ବୃଦ୍ଧିକୁ କେନ୍ଦ୍ରକରି ଛାତ୍ର ଆନ୍ଦୋଳନ ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରକରି ମଙ୍ଗଳବାର ସଂସଦର ଉଭୟ ସଦନରେ ବିରୋଧୀଦଳଗୁଡ଼ିକ ସରକାରଙ୍କୁ ଘେରିଥିଲେ। ଲୋକସଭାରେ ଶୂନ୍ୟକାଳରେ ବିରୋଧୀଦଳ ସଦସ୍ୟମାନେ ଜେଏନୟୁ ଛାତ୍ରଙ୍କ ଉପରେ ପୁଲିସର ଲାଠିମାଡ଼ ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ।

ଟିଏମସି ସଦସ୍ୟ ସୌଗତ ରାୟ, କଂଗ୍ରେସ ସଦସ୍ୟ ଟିଏନ୍ ପ୍ରତାପନ୍ ଓ ବିଏସ୍ପି ସଦସ୍ୟ ଡାନିସ୍ ଅଲ୍ଲୀ କହିଥିଲେ, ସରକାର ଛାତ୍ରମାନଙ୍କ କଣ୍ଠରୋଧ କରିବା ପାଇଁ ସେମାନଙ୍କ ଉପରେ ପୁଲିସ ବଳ ପ୍ରୟୋଗ କରୁଛନ୍ତି। ସୌଗତ ରାୟ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ।

ସେ କହିଥିଲେ, ହଷ୍ଟେଲ୍ ଫି’ ବୃଦ୍ଧି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ। ଗରିବ ଛାତ୍ରଛାତ୍ରୀମାନେ ଏହି ଦେୟ ଦେବାକୁ ସକ୍ଷମ ହେବେନାହିଁ। ପ୍ରତାପନ୍ କହିଥିଲେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଲାଗି ଆନ୍ଦୋଳନ କରୁଛନ୍ତି। ମାତ୍ର ସରକାର ଅଗଣତାନ୍ତ୍ରିକ ଭାବରେ ସେମାନଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା ସରକାର ନଷ୍ଟ କରୁଛନ୍ତି। ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ କରାଯିବାକୁ ବିରୋଧୀଦଳ ସଦସ୍ୟମାନେ ଦାବି କରିଥିଲେ।

ରାଜ୍ୟସଭାରେ ମଧ୍ୟ ବିରୋଧୀଦଳ ସଦସ୍ୟମାନେ ଜେଏନୟୁ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନର ବିରୋଧ କରି ପ୍ରବଳ ହଟ୍ଟଗୋଳ କରିଥିଲେ। ରାଜ୍ୟସଭାରେ ଆମ୍ ଆଦ୍ମୀ ପାର୍ଟି ସଦସ୍ୟ ସଞ୍ଜୟ ସିଂହ ପୁଲିସ କାର୍ଯ୍ୟାନୁଷ୍ଠାନର ଦୃଢ଼ ନିନ୍ଦା କରି କହିଥିଲେ, ପ୍ରଥମଥର ପାଇଁ ଦିଲ୍ଲୀରେ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଛି। ଏହା ଦିଲ୍ଲୀ ପୁଲିସ ପାଇଁ ଏକ ଲଜ୍ଜାଜନକ ବିଷୟ। ରାଜଧାନୀ ପୁଲିସ ଓକିଲମାନଙ୍କୁ ମାଡ଼ମାରି ୟୁନିଫର୍ମରେ ଦାଗ ଲଗାଇବା ପରେ ଏବେ ଛାତ୍ରମାନଙ୍କ ପ୍ରତି ସେହି ନୀତି ଧରିଛି।

ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଥିଲେ, ଛାତ୍ରମାନଙ୍କ ବିରୋଧରେ ପୁଲିସ ବଳ ପ୍ରୟୋଗ କରିବା ବର୍ବରୋଚିତ କାର୍ଯ୍ୟ। ମୋଦୀ ସରକାର ଏବଂ ଜେଏନୟୁ ପ୍ରଶାସନ ଭଲଭାବରେ ବୁଝିବା ଦରକାର ଯେ ଛାତ୍ରମାନେ ପରସ୍ପର ମଧ୍ୟରେ ମାଡ଼ପିଟ ହେଉନଥିଲେ। ସେମାନେ ଆମ ସମାଜର ଭବିଷ୍ୟତ। ସେମାନଙ୍କ ପ୍ରତି ପୁଲିସର ଏପ୍ରକାର ଆଚରଣ ଘୋର ନିନ୍ଦନୀୟ। ସଂସଦର ଉଚ୍ଚ ସଦନରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଥିଲେ, ଏଭଳି ହଟ୍ଟଗୋଳ ଲାଗି ରହିଲେ ସେ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହେବେ।

ଉଲ୍ଲେଖଯୋଗ୍ୟ ଯେ ସୋମବାର ଜେଏନୟୁ ଛାତ୍ରମାନେ ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ଆସିବା ସମୟରେ ପୁଲିସ ସେମାନଙ୍କୁ ବାଧାଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ପୁଲିସ ଛାତ୍ରମାନଙ୍କୁ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଛି। ବହୁଛାତ୍ରଙ୍କୁ ପୁଲିସ ଅଟକ ରଖିଥିବାରୁ ସେମାନଙ୍କୁ ତୁରନ୍ତ ଛାଡ଼ିଦିଆଯିବାକୁ ଛାତ୍ର ସଂଘ ପକ୍ଷରୁ ଦାବି କରାଯାଇଛି।