ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ: ରେକର୍ଡ ବିଜୟ ସହ ଜିମ୍ବାୱେ ଅପରାଜେୟ

ହରାରେ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସରେ ସୋମବାର ଜିମ୍ବାୱେ ରେକର୍ଡ ବିଜୟ ହାସଲ ସହ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଛି । ପୂର୍ବରୁ କ୍ରମାଗତ ତୃତୀୟ ବିଜୟ ହାସଲ ପୂର୍ବକ ସୁପର୍ ସିକ୍ସ ପର୍ଯ୍ୟାୟରେ ପହଞ୍ଚିସାରିଥିବା ଜିମ୍ବାୱେ ସୋମବାର ତା’ର ଚତୁର୍ଥ ମ୍ୟାଚ୍‌ରେ ଆମେରିକାକୁ ଭେଟିଥିଲା । ଏଥିରେ ଅଧିନାୟକ ସିନ୍ ୱିଲିୟମ୍ସଙ୍କ ୧୭୪ ରନ୍‌ର ବଳିଷ୍ଠ ଇନିଂସ ମାଧ୍ୟମରେ ଜିମ୍ବାୱେ ୬ ୱିକେଟ୍ ହରାଇ ୪୦୮ ରନ୍‌ର ବଡ଼ ସ୍କୋର୍ କରିଥିଲା । ଏହାର ଜବାବରେ ଆମେରିକା ୨୫.୪ ଓଭର୍‌ରେ ମାତ୍ର ୧୦୪ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ଜିମ୍ବାୱେ ୩୦୪ ରନ୍‌ର ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଛି । ଦିନିକିଆ କ୍ରିକେଟ୍‌ରେ ଏହା ଜିମ୍ବାୱେର ଶ୍ରେଷ୍ଠ ବିଜୟ ହୋଇଥିବା ବେଳେ ସର୍ବକାଳୀନ ଦ୍ୱିତୀୟ ସର୍ବାଧିକ ବିଜୟ ବ୍ୟବଧାନ । ଦିନିକିଆରେ ସର୍ବାଧିକ ବିଜୟ ବ୍ୟବଧାନ ରେକର୍ଡ ଭାରତ ନାମରେ ରହିଛି । ଏହି ଦଳ ଚଳିତ ବର୍ଷ ତିରୁବନନ୍ତପୁରମ୍‌ଠାରେ ଶ୍ରୀଲଙ୍କାକୁ ୩୧୭ ରନ୍‌ରେ ପରାସ୍ତ କରିଥିଲା ।

ଦଳ ପ୍ରଥମେ ବ୍ୟାଟିଂ ପାଇବା ପରେ ଦୁଇ ଓପନର ଜୟଲର୍ଡ ଗମ୍ବି ଓ ଇନୋସେଣ୍ଟ୍ କାଇଆ ୫୬ ରନ୍ ଯୋଡ଼ିଥିଲେ । କାଇଆ ୩୨ ରନ୍‌ରେ ଆଉଟ୍ ହେବା ପରେ ଦ୍ୱିତୀୟ ୱିକେଟ୍‌ରେ ୱିଲିଅମ୍ସ ଓ ଗମ୍ବିଙ୍କ ମଧ୍ୟରେ ୧୬୦ ରନ୍‌ର ବଡ଼ ଭାଗୀଦାରୀ ହୋଇଥିଲା । ଗମ୍ବି ୫ଟି ଚୌକା ସହ ୭୮ ରନ୍‌ରେ ଆଉଟ୍ ହେବା ପରେ ୱିଲିୟମ୍ସ ତୃତୀୟ ୱିକେଟ୍‌ରେ ସିକନ୍ଦର ରାଜାଙ୍କ ସହ ୮୮ ଓ ଚତୁର୍ଥ ୱିକେଟ୍‌ରେ ର‌୍ୟାନ୍ ବର୍ଲଙ୍କ ସହ ୮୧ ରନ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ରାଜା ୪୮ ଓ ବର୍ଲ ୪୭ ରନ୍ କରିଥିବା ବେଳେ ୱିଲିୟମ୍ସ ତାଙ୍କ କ୍ୟାରିଅର୍‌ର ସପ୍ତମ ଶତକ ପୂରଣ କରିବା ସଙ୍ଗେ ସଙ୍ଗେ ଦଳୀୟ ସ୍କୋର୍‌କୁ ୩୮୭ରେ ପହଞ୍ଚାଇଥିଲେ ।

ସେ ତାଙ୍କ କ୍ୟାରିଅର୍ ଶ୍ରେଷ୍ଠ ୧୭୪ ରନ୍‌ର ଇନିଂସରେ ୨୧ଟି ଚୌକା ଓ ୫ଟି ଛକା ଲଗାଇଥିଲେ । ଆମେରିକା ପକ୍ଷରୁ ଅଭିଷେକ ପାରଡକର ୩ଟି ଓ ଜେସି ସିଂହ ୨ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ କୌଣସି ବଡ଼ ଭାଗୀଦାରୀ କରି ନ ପାରିବା ଫଳରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ଦଳର କେବଳ ୩ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଅଭିଷେକ ସର୍ବାଧିକ ୨୪ ରନ୍ କରିଥିବା ବେଳେ ଜସଦୀପ ସିଂହ ୨୧ ଓ ଗଜାନନ୍ଦ ସିଂହ ୧୩ ରନ୍‌ର ଯୋଗଦାନ ଦେଇଥିଲେ । ଜିମ୍ବାୱେର ରିଚାର୍ଡ ଏନ୍‌ଗାରାଭା ଓ ରାଜାଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା । ୱିଲିୟମ୍ସଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।