କୋଲକାତା ଓ ବାରାଣାସୀକୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଆସନ୍ତା ୨୭ରୁ ଏଲାୟନ୍ସ ଏୟାର ଯୋଗାଇବ ଏହି ବିମାନ ସେବା

ଝାରସୁଗୁଡା,ଏନ୍ଏନ୍ଏସ୍: ଆରସିଏସ୍ ଉଡ଼ାନ ସ୍କିମରେ କୋଲକାତା-ଝାରସୁଗୁଡ଼ା-କୋଲକାତା ଏବଂ ଭୁବନେଶ୍ୱର-ବାରାଣାସୀ-ଭୁବନେଶ୍ୱର ସେକ୍ଟରରେ ଏଟିଆର୍-୭୨ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି। ଏନେଇ ଏଲାୟନ୍ସ ଏୟାରର ଝାରସୁଗୁଡ଼ା ଠାରେ ଅବସ୍ଥାପିତ ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ଏବଂ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଏସ୍ କେ ଚୌହାନ ଏହି ନୂତନ ସମୟ ସାରଣୀ ଏବଂ ବିମାନ ଚଳାଚଳ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଏଲାୟନ୍ସ ଏୟାରର ବିମାନ ଏହି ରୁଟ୍ରେ ଚଳାଚଳ କରିବ। ଆସନ୍ତା ୨୭ ତାରିଖ ଠାରୁ ଚାରି ଦିନ ଧରି ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଏଲାୟନ୍ସ ଏୟାରର ବିମାନ ଚଳାଚଳ କରିବା ପରେ ସମୟ ନିର୍ଘଂଟରେ ପରିବର୍ତନ ସହ ଉକ୍ତ ବିମାନ ଭୁବନେଶ୍ୱର-ବାରାଣାସୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ।

ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରୁ ୩୦ ତାରିଖ ଯାଏଁ ଚାରି ଦିନ ଧରି କୋଲକାତାରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଝାରସୁଗୁଡ଼ା ଅଭିମୁଖେ ଉଡ଼ିବ। ଝାରସୁଗୁଡ଼ା ଠାରେ ୧ଟା ୧୫ ମିନିଟରେ ପହଂଚିବା ପରେ ଝାରସୁଗୁଡ଼ାରୁ ପୁଣି ୧ଟା ୪୫ ମିନିଟରେ କୋଲକାତାକୁ ପ୍ରତ୍ୟାବର୍ତନ କରିବ ଓ କୋଲକାତାରେ ଅପରାହ୍ନ ୩ଟା ୧୫ ମିନିଟରେ ପହଂଚିବ। ତେବେ ୩୧ ଜାନୁଆରୀରୁ ସମୟ ନିର୍ଘଂଟରେ ପରିବର୍ତନ ହୋଇ କୋଲକାତାରୁ ସକାଳ ୫ଟା ୫୦ ମିନିଟରେ ଏଲାୟନ୍ସ ଏୟାରର ବିମାନ ଉଡ଼ିବା ପରେ ୭ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଂଚିବ।

୭ଟା ୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡ଼ାରୁ ଛାଡ଼ିବା ପରେ ରାୟପୁରରେ ୮ଟା ୫୦ ମିନିଟରେ ପହଂଚିବ। ରାୟପୁରରୁ ୯ଟା ୧୫ ମିନିଟରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ ୧୦ଟା ୨୦ ମିନିଟରେ ପହଂଚି ଝାରସୁଗୁଡ଼ାରୁ ୧୦ଟା ୪୫ ମିନିଟରେ ଉଡ଼ିବା ପରେ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଂଚିବ। ସେହିପରି ୧୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ିବା ପରେ ବାରାଣାସୀରେ ଅପରାହ୍ନ ୨ଟା ୫ ମିନିଟରେ ପହଂଚିବ। ୨ଟା ୩୦ ମିନିଟରେ ବାରାଣାସୀରୁ ବିମାନ ଛାଡ଼ିବା ପରେ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଂଚିବା ସହ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ବିମାନଟି ୪ଟା ୪୫ ମିନିଟରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ୫ଟା ୫୦ ମିନିଟରେ ପହଂଚିବ। ଝାରସୁଗୁଡ଼ାରୁ କୋଲକାତାକୁ ଉକ୍ତ ବିମାନ ସଂଧ୍ୟା ୬ଟା ୧୫ ମିନିଟରେ ଉଡ଼ିବା ପରେ କୋଲକାତାରେ ୭ଟା ୪୫ ମିନିଟରେ ପହଂଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ ସୂଚନା ଦେଇଛନ୍ତି।