ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ ଗୁରୁତର ଅସୁସ୍ଥ

ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ର ପୂର୍ବତନ ବିଧାୟକଙ୍କ ନିବେଦନ

ନବରଙ୍ଗପୁର,ଏନ୍ଏନ୍ଏସ୍: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ନବରଙ୍ଗପୁର ବାସିନ୍ଦା ଡମ୍ବରୁ ମାଝୀଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଛତିଶଗଡ଼ ରାଜ୍ୟ ଜଗଦଲପୁରର ପୂର୍ବତନ ବିଧାୟକ ଡା. ସୁଭାୟୁ କଶ୍ୟପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ବର୍ତ୍ତମାନ ଛତିଶଗଡ଼ର ରାଇପୁରଠାରେ ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅପରେସନ ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ। ଏହି ଆର୍ôଥକ ସହାୟତା ରାଶି ଓଡ଼ିଶା ସରକାର ଯୋଗାଇଦେବାକୁ ଶ୍ରୀ ମାଝୀଙ୍କ ଜ୍ୱାଇଁ ଡା. ସୁଭାୟୁ କଶ୍ୟପ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାର ଏକକିତା ନକଲ ନବରଙ୍ଗପୁର ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ରଙ୍କୁ ଦିଆଯାଇଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ନିଜ ଝିଅ ଘର ଜଗଦଲପୁରକୁ ଯାଇଥିଲେ। ସେଠାରେ ହଠାତ୍ ତାଙ୍କର ହୃଦ୍ ସମସ୍ୟା ଦେଖାଦେଇଥିଲା। ତାଙ୍କୁ ପ୍ରଥମେ ଜଗଦଲପୁର ଡାକ୍ତରଖାନା ଓ ପରେ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ହୃଦ୍ୟନ୍ତ୍ରଣା ସହ ରକ୍ତ କମ୍ ରହିଥିବାରୁ ଅସ୍ତ୍ରୋପଚାର ହୋଇପାରୁନାହିଁ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଅସ୍ତ୍ରୋପଚାର ପାଇଁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ଯାହାକି ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱପ୍ନ ପାଲଟିଯାଇଛି। ପ୍ରକାଶଥାଉକି, ଶ୍ରୀ ମାଝୀ ବିଏ, ଏଲ୍ଏଲ୍ବି ପାସ୍ କରିବା ପରେ ୧୯୬୭ରେ ରାଜନୀତିରେ ଯୋଗଦେଇଥିଲେ।

ସ୍ୱତନ୍ତ୍ର ଦଳରୁ ୧୯୭୧ରେ ଡାବୁଗାଁ ନିର୍ବାଚନମଣ୍ଡଳିରୁ ଓ ୧୯୭୭ରେ କଂଗ୍ରେସରେ ଯୋଗଦେଇ ୧୯୮୦ରେ କୋଡ଼ିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ରେ ପୁନର୍ବାର ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ରାସ୍ତା ଓ ଗୃହ ନିର୍ମାଣ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ରହିଥିଲେ। ସେ ତେନ୍ତୁଲିଖୁଣ୍ଟି ବ୍ଲକ୍ ଅଞ୍ଚଳ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟାରେ ଜନ୍ମଗ୍ରହଣ କରିଥିଲେ।