ଲକ ଡାଉନ ସମୟରେ ଭିକାରୀ ଓ ବାସହୀନଙ୍କୁ ମିଳି ପାରୁନି ଖାଦ୍ୟ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା କବଳରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପଇଁ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାକୁ ଲକଡାଉନ କରିଛନ୍ତି । ଫଳରେ ଜିଲ୍ଲାରେ ଦୋକାନ ବଜାର, ହୋଟେଲ, ଜଳଖିଆ ଦୋକାନ ତଥା ଲୋକଙ୍କ ଗମନାଗମନ ମଧ୍ୟ ବନ୍ଦ ରହିଛି। କରୋନା ଭାଇରସ ସହ ଏହି ଲଢେଇରେ ଜିଲ୍ଲାବାସୀ ସରକାରଙ୍କ ନିର୍ଦ୍ଦେଶକୁ ମାନି ଲକ ଡାଉନ ପାଳନ କରିବା ସହ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । ତେଣୁ ଏହି ସମୟରେ ଜିଲ୍ଲାରେ ଥିବା ଭିକାରୀ ଓ ବାସହୀନମାନଙ୍କ ପେଟକୁ ଖାଇବା ମୁଠାଏ ମିଳିବା କଷ୍ଟକର ହୋଇ ପଡିଛି । ଲୋକେ ଯାତାୟତ କରୁ ନଥିବାରୁ ଭୀକାରିମାନଙ୍କୁ ଭିକ ମିଳି ପାରୁ ନାହିଁ। ସେହିପରି ହୋଟେଲ ଓ ରାସ୍ତାକଡ ଜଳଖିଆ ଦୋକାନ ସବୁ ବନ୍ଦ ଥିବାରୁ ଭିକାରୀ ଓ ଘରହୀନମାନଙ୍କୁ ଖାଇବାକୁ ମିଳି ପାରୁ ନାହିଁ ।

ଏହାସହ ସେମାନଙ୍କ ନିଜର ଘର ନି ଥିବାରୁ ଲକ ଡାଉନ ହେଉ କି ଜନତା କର୍ଫ୍ୟୁ ସେମାନଙ୍କୁ ଖୋଲା ଆକାଶ ତଳେ ରହିବାକୁ ପଡୁଛି । ଏହି ଲକ ଡାଉନ ସମୟରେ ଝାରସୁଗୁଡା ବସଷ୍ଟାଣ୍ଡ ପାଖରେ ନିରୁପାୟ ଭାବରେ ବସିଥିବା ଜଣେ ଭିକାରୀ କହିଛନ୍ତି ପେଟକୁ ଖାଇବା ମିଳିବା କଷ୍ଟକର ହୋଇପଡିଛି। ଭିଖ ମିଳିଲେ ଖାଇବାକୁ ମିଳେ । ହେଲେ ଲକ ଡାଉନ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି ତେଣୁ ସେମାନଙ୍କୁ ଭିକ ମିଳୁ ନାହିଁ । ଏହିପରି ଖାଇବାକୁ ମିଳୁ ନଥିବା ପରିସ୍ଥିତିରେ ସେମାନେ କିପରି ମାସ୍କ ବା ସାନିଟାଇଜର କିଣିବାକୁ ସକ୍ଷମ ହେବେ ବୋଲି କହିଛନ୍ତି । ଏହି ପରିସ୍ଥିତିରେ ଭିକାରୀ ଓ ବାସହୀନମାନଙ୍କୁ ସହାୟତାର ହାତ ବଢାଇଛି ଝାରସୁଗୁଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ। ଝାରସୁୁଡୁଡା ବସ୍ ଷ୍ଟାଣ୍ଡ ନିକଟରେ ଅସହାୟ ଭାବରେ ବସିରହିଥିବା ଜଣେ ବୃଦ୍ଧ ଭିକାରୀଙ୍କୁ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟର ସଭାପତି ଅରବିନ୍ଦ ବାରିକ ଓ ସଦସ୍ୟମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକ୍ତସାଳୟରେ ଭର୍ତି କରିଛନ୍ତି ।

ଏହାସହ ସେ ସୁସ୍ଥ ହେଲାପରେ ତାଙ୍କୁ ଡ଼ିଗନିଟି ବୃଦ୍ଧାଆଶ୍ରମରେ ରଖାଯିବ ବୋଲି ଟ୍ରଷ୍ଟ ତରଫ ରୁ କୁହାଯାଇଛି । ସେହିପରି ସହରରେ ଆଉ ଯଦି କେହି ବାସହୀନ, ଅସହାୟ ତଥା ଭିକ୍ଷାବୃତି କରି ଚଳୁଥିବା ଲୋକେ ଅସୁବିଧାରେ ଥିଲେ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେମନଙ୍କୁ ସହ ସହାଯ୍ୟ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଲକ ଡାଉନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସହୀନ ତଥା ଭୀକାରିମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ବୋଲି ପଚାରିବାରୁ ଉପଜିଲ୍ଲପାଳ ଶିବ ଟପ୍ପୋ କହିଛନ୍ତି ନିଶ୍ଚିତ ଭାବରେ ଲକ ଡାଉନ ସମୟରେ ଏହି ଭିକ୍ଷାବୃତି କରୁଥିବା ତଥା ବାସହୀନ ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ।