କରୋନାରେ ମାଆଙ୍କୁ ହରାଇଥିବା ଭାଇ ଭଉଣୀଙ୍କ ଦାୟିତ୍ୱ ନେଲେ ମାମୁ ମାଇଁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନାରେ ମାଆଙ୍କୁ ହରାଇବା ପରେ ଅନାଥ ହୋଇପଡ଼ିଥିବା ବ୍ରଜରାଜନଗର ଅଞ୍ଚଳରେ ଦୁଇଶିଶୁ ଙ୍କ ସମସ୍ତ ଦାୟିତ୍ୱ ତାଙ୍କ ମାମୁ ମାଇଁ ନେଇଥିବା ଝାରସୁଗୁଡା ଜିଲ୍ଲା ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବ୍ରଜରାଜନଗର ଅଞ୍ଚଳର ଦୁଇ ଶିଶୁ କିଛିବର୍ଷ ପୂର୍ବେ ବାପାଙ୍କୁ ହରାଇଥିବାବେଳେ ଗତ ୩ ତାରିଖରେ କରୋନାରେ ମାଆଙ୍କୁ ହରାଇ ଅନାଥ ହୋଇଥିଲେ। ଏନେଇ ଚାଇଲ୍ଡ ଲାଇନ ସଂଯୋଜକ ଆଶିଶ ପଣ୍ଡା ଖବରପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କୁ ଏଘଟଣା ବିଷୟରେ ଜଣେଇଥିଲେ । ଏହାପରେ ଶ୍ରୀ ମହାରଣା, ଆଶିଷ କୁମାର ପଣ୍ଡା, ଡିପିପିୟୁର କାଉନସିଲର ସମୀର କୁମାର ମିଶ୍ର, ଚାଇଲ୍ଡ଼ ଲାଇନ ସଦସ୍ୟା ଜ୍ୟୋସ୍ନା ପ୍ରଧାନ, ବ୍ରଜରାଜନଗର ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ଦିକ୍ଷିତ, ୱାର୍ଡ କାଉନସିଲର ରୁନୁ ବାଗ ଭାଇ ଭଉଣୀ ଦୁହିଁଙ୍କୁ ତାଙ୍କ ମାମୁଁ ଘରକୁ ନେଇଥିଲେ।

ଏନେଇ ତାଙ୍କ ମାମୁ ମାଇଁଙ୍କୁ ସଙ୍ଗେସଙ୍ଗେ ଘଟଣା ବିଷୟରେ ଜଣାଇ ଅନ୍ଲାଇନ ମାଧ୍ୟମରେ ଶିଶୁ ଦ୍ୱୟଙ୍କୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଇଥିଲେ । ଶିଶୁଦୁଇଜଣ ମାମୁ ମାଇଁଙ୍କ ପାଖରେ ରହିବୁ ବୋଲି କହିଥିବାବେଲେ ମାମୁ ମାଇଁ ମଧ୍ୟ ସେମାନଙ୍କୁ ନିଜ ପାଖରେ ରଖିବେ ବୋଲି ଶିଶୁ ମଙ୍ଗଳ କମିଟି ଆଗରେ କହିଥିଲେ। ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଶିଶୁ ଦ୍ୱୟଙ୍କୁ ମାମୁଁ ମାଇଁଙ୍କ ସହ ରଖା ଯାଇଛି । କୋଭିଡ଼ରେ ମାଆଙ୍କୁ ହରାଇଥିବା ଶିଶୁଦ୍ୱୟଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଯୋଜନାରେ ସାମିଲ କରାଯିବ ବୋଲି ଡିସିପିଓ ମହାରଣା କହିଛନ୍ତି ।