ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ଅଳିଆ ଆବର୍ଜନା ସଂଗ୍ରହ ଓ ପରିବହନ ପାଇଁ ମଙ୍ଗଳବଜାରସ୍ଥିତ ଅଡିଟୋରିୟମରେ ୨୮ ଟି ବ୍ୟାଟେରୀ ଚାଳିତ ଯାନ ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଝରସୁଗୁଡାରେ ପରିମଳ ବ୍ୟବସ୍ଥାକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଡ୍ରେନେଜ ଓ ସ୍ୱେରେଜ ବ୍ୟବସ୍ଥାରେ ଉନ୍ନତି ସହ ଘରେ ଘରେ ପାନୀୟଜଳ ପାଇପ ଯୋଗେ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଆଙ୍କୁ ସମ୍ମାନ ଓ ରୋଜଗାରର ସଂକଳ୍ପ ଯୋଗୁଁ ଆଜି ଝାରସୁଗୁଡ଼ା ସହରର ପରିମଳ ବ୍ୟବସ୍ଥାର ଗୁରୁ ଦାୟିତ୍ୱ ମହିଳା ଏବଂ କିନ୍ନରମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ଅଳିଆ ଉଠାଯାନର ଚାଳନାଠୁ ଆରମ୍ଭ କରି ଲୋକଙ୍କୁ ପରିଷ୍କାର ପାରିଚ୍ଛନ୍ନତା ଉପରେ ଏହି ମହିଳାମାନେ ସଚେତନ କରିପାରିବେ। ଏହାଦ୍ୱାରା ମହିଳାମାନେ ଆତ୍ମନିର୍ଭର ହେବାସହ ଝାରସୁଗୁଡା ପରିସ୍କାର ପରିଛନ୍ନ ରହି ପରିବ ବୋଲି ଶ୍ରୀ ଦାସ କହିଛନ୍ତି।
ସେହିପରି ପୌରପରିଷଦର ପ୍ରଶାସକ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ଉଦବୋଧନ ଦେଇ ସହରାଞ୍ଚଳର ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ଅଳିଆ ଆବର୍ଜନା ପ୍ରତି ଘରୁ ସଂଗ୍ରହ କରାଯାଇ ବ୍ୟାଟେରୀ ଚାଳିତ ଯାନରେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରକୁ ବୁହା ହେବ। ତାହାର ପ୍ରକ୍ରିୟାକରଣ ପୂର୍ବକ ‘ମୋ ଖତ’ ଭାବେ ଉତ୍ପାଦିତ ହୋଇ ବିଭିନ୍ନ ସରକାରୀ ବିଭାଗକୁ ବିକ୍ରି କରାଯିବ । ସେଥିରୁ ଲବ୍ଧ ଅର୍ଥ ମହିଳା ଏସଏଚଜିଙ୍କୁ ପୈଠ ହେବ ବୋଲି କହିଛନ୍ତି । ଏହି ଅବସରରେ ଝାରସୁଗୁଡା ପୌର ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ, ମଦନାନନ୍ଦ ସେଠ, ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ, ହରିଶ ଗଣତ୍ରା, ସନ୍ଦୀପ ଅୱସ୍ଥି, ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ରଘୁମଣି ପଟେଲ, ପ୍ରତାପ ନନ୍ଦ, ବେଣୁଗୋପାଳ ପାଣିଗ୍ରାହୀ, ମଦନ ହାତୀ, ଗୋବିନ୍ଦ ସିଂହାନିଆଁ, ପିଣ୍ଟି ପାଢୀ, ସିଦ୍ଧାର୍ଥ ସରକାର ପ୍ରମୁଖ ଉପସ୍ଥିତ ଥିଲେ । ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ହୋଇଥିବା ଏହି ଯାନ ଚାଳନା ପାଇଁ ନିୟୋଜିତ ହୋଇଥିବା ମହିଳା ଏବଂ କିନ୍ନରମାନଙ୍କୁ ପୌରପରିଷଦ ପକ୍ଷରୁ ଏକମାସ ଯାଏଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ସେହିପରି ଖୁବଶୀଘ୍ର ଆହୁରି ୯ଟି ବ୍ୟାଟରୀ ଚାଳିତ ଯାନ ଝାରସୁଗୁଡା ପୌରପରିଷଦ ଅଞ୍ଚଳରେ ଆବର୍ଜନା ସଂଗ୍ରହ ପାଇଁ ନିୟୋଜିତ କରାଯିବ ବୋଲି ପୌରପରିଷଦ ପକ୍ଷରୁ କୁହାଯାଇଛି।