ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଥା କିର୍ମିରା ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଅନବରତ ଭାବରେ ଭାରୀଯାନ ଚଳାଚଳ କରୁଛି। ଫଳରେ ରାସ୍ତାଟିର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲଖମା ସୃଷ୍ଟି ହେବାସହ ଦିନକୁଦିନ ଏହା ଆହୁରି ଖରାପ ହେବାରେ ଲାଗିଛି। ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଶହଶହ ରୋଗୀ ତଥା ସାଧାରଣଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନବରତ ଭାରୀଯାନ ଚଳାଚଳ ତଥା ରାସ୍ତାରେ ଥିବା ବଡ଼ବଡ଼ ଖାଲ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଅଥବା ଅନ୍ୟ ଗାଡିଗୁଡିକ ଆବଶ୍ୟକ ଗତିରୁ ଖୁବ କମ୍ ସ୍ପିଡରେ ଗାଡି ଚଲାଇବା ପାଇଁ ଚାଳକ ବାଧ୍ୟ ହେଉଛନ୍ତି। ଫଳରେ ରୋଗୀମାନଙ୍କୁୁ ଚିକିତ୍ସଳୟ ପହଞ୍ଚିବା ପାଇଁ ବିଳମ୍ବ ହେବାସହ ଜୀବନ ହାନୀ ହେଉଛି। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାଦେଇ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାସହ ସାଧାରଣ ଲୋକ ତଥା ରୋଗୀଙ୍କ ସୁଗମନାଗମନର ବ୍ୟବସ୍ଥା କରାଯାଉ ବୋଲି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ କହିଛନ୍ତି। ଯଦି ଲୋକଙ୍କ ଏହି ସମସ୍ୟା ସମାଧାନ ଦିଗରେ ପ୍ରଶାସନ ଶୀଘ୍ର ପଦକ୍ଷେପ ଗ୍ରହଣ ନକରେ ତେବେ ଜିଲ୍ଲା ବିଜେପି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାଦେଇ ଆଇଓସିଲ, ଅଲ୍ଟ୍ରାଟେକ, ସେଭେନ ଷ୍ଟାର, ବେଦାନ୍ତ, ଜୟହନୁମାନ, ଅପାର ଗ୍ରୁପ ପରି ଅନେକ ଶିଳ୍ପ ସଂସ୍ଥାକୁ ଭାରୀଯାନ ଚଳାଚଳ କରୁଛି। ଫଳରେ ବହୁଦିନ ହେଲାଣି ଏହି ରାସ୍ତାଟି ଶୋଚନୀୟ ଅବସ୍ଥାରେ ପଡି ରହିଛି। ତେଣୁ ଅଟୋ, କାର ଚଳକମାନେ ରାସ୍ତାରେ ରୋଗୀ ନେଇ ଯିବାପାଇଁ ମୁହଁ ମୋଡିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ଦୁଇଗୁଣାରୁ ଅଧିକ ଭଡା ଆଦାୟ କରୁଛନ୍ତି। ରାସ୍ତା ଖରାପ ସାଙ୍ଗକୁ ନିରନ୍ତର ଭାରିଯାନ ଚଳାଚଳ ଲୋକଙ୍କ ଅସୁବିଧାକୁ ଦ୍ୱିଗୁଣିତ କରୁଛି। ଭାରୀଯାନ ଚଳାଚଳ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଓ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଏହି ରାସ୍ତକୁ ଶୀଘ୍ର ମରାମତି କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକଙ୍କ ଗମନାଗମନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଉ ବୋଲି ଲୋକେ ଦାବି କରିଛନ୍ତି।