ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ପ୍ରତି ରାଜ୍ୟ ସରକାର ଧ୍ୟାନ ନଦେବା ପ୍ରତିବାଦରେ ଆଜି ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ଜିଲ୍ଲା ବିଜେପି ରାଜ୍ୟ ସରକାରଙ୍କୁ ନିନ୍ଦା କରାଯାଇଛି। ଏହାସହ ସନ୍ଧ୍ୟାରେ ଗୋପବନ୍ଧୁ ଛକଠାରେ ନଗର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜେପି ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଗୋପବନ୍ଧୁ ଛକରେ ଏକତ୍ର ହୋଇ ରାଜ୍ୟ ସରକାର ଏବଂ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କୁଶ ପୁତ୍ତଳିକା ଦାହ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଡିଆ ସେଲ୍ ପ୍ରଭାରୀ ମୋତିଲାଲ ଶର୍ମା, ସୁଧୀର କୁମାର ପାତ୍ର, ଚନ୍ଦ୍ର ଶେଖର ମହାପାତ୍ର, ରମଣୀ ରଞ୍ଜନ ଆଚାର୍ଯ୍ୟ ଓ ରାଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।