ଝାରସୁଗୁଡ଼ା ପୌରପରିଷଦରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ସମୀକ୍ଷା କରିଛନ୍ତି। ପୌରପରିଷଦର ୧୨ଟି ୱାର୍ଡରେ ହୋଇଥିବା ଉନ୍ନୟନମୂଳକ ତଥା ହେବାକୁଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିବାବେଳେ ଆସନ୍ତାକାଲି ଆହୁରି ୧୨ଟି ୱାର୍ଡର ସମୀକ୍ଷା କରାଯିବ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ଝାରସୁଗୁଡା ପୌରାଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଦୂରିକରଣ ପାଇଁ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେ କହିଥିଲେ ପୌରାଞ୍ଚଳରେ ପାନୀୟଜଳ ଯୋଗାଣ, ବିଦ୍ୟୁତ, ରାସ୍ତାଘାଟ, ପରିମଳ ବ୍ୟବସ୍ଥା ସଠିକ ଭାବରେ ରଖିବା ପାଇଁ ପୌରପ୍ରଶସାନ ବିଶେଷ ଧ୍ୟାନ ଦିଅନ୍ତୁ।

ସେହିପରି ହିତାଧୀକାରୀଙ୍କୁ ଆବାସ ଘର, ଜମି, ଭତ୍ତା ପ୍ରଦାନ ଦିଗରେ ଅବିଳମ୍ବେ କାର୍ଯ୍ୟ କରନ୍ତୁ। ପୌରାଞ୍ଚଳର ଉନ୍ନତି ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ଗୁଡିକୁ ନେବାରେ ସଂକୋଚ କରନ୍ତୁ ନାହିଁ ବୋଲି ଶ୍ରୀ ଦାସ କହିଥିଲେ। ଏହି ଅବସରରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଝାରସୁଗୁଡା ପୌର ଅଧିକାରୀ ରାମଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।