କାର୍ଯ୍ୟାଳୟରେ ଟଳି ପଡିଲେ ମ୍ୟାନେଜର

ଉପରିସ୍ଥ ଅଧିକାରୀଙ୍କ ଚାପରେ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ଝିଅ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଉପରିସ୍ଥ ଅଧିକାରୀଙ୍କ ଚାପ ଓ ଗାଳିଗୁଳଜ ପାଇଁ ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ ତନୁଜା ପାଲ ଅଭିଯୋଗ କରିିଛନ୍ତି। ସେ କହିଛନ୍ତି ତାଙ୍କ ବାପାଙ୍କୁ ଦୀର୍ଘଦିନ ହେବ କାମ ଆଳରେ ଡିଭିଜନଲ ମ୍ୟାନେଜର ଏକେ ପଟ୍ଟନାୟକ ମାନସିକ ଯନ୍ତ୍ରଣା ଦେଉଥିଲେ। ଚାକିରରୁ ବାହାର କରିଦେବାର ଭୟ, ବଦଳି ଧମକ ଆଦି ଦେଇ ଆସୁଥିଲେ। ତେବେ ଆଜି ଡିଏମଙ୍କ ଅଫିସ ଚେମ୍ବରରେ ବାସୁଦେବ ହଠାତ୍ ସଜ୍ଞାହୀନ ହୋଇପଡିଥିଲେ। ସହକର୍ମଚାରୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି ପରିବାରବର୍ଗଙ୍କୁ ଖବର ଦେଇଥିଲେ। ହେଲେ ସେଠାରେ ଡାକ୍ତର ବାସୁଦେବଙ୍କୁ ମୃତ ଘୋଷଣା କରିଥିଲେ।

 ଆଜି ସକାଳୁ ବାସୁଦେବ ସମ୍ପୂର୍ଣ୍ଣ ସୁସ୍ଥ ଥବାବେଳେ ଖାଇପିଇ ଅଫିସକୁ ଯାଇଥିଲେ। ସେଠାରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବାରୁ ଆଜି ମଧ୍ୟ ଡିଭିଜନାଲ ମ୍ୟାନେଜର ଅଫିସକୁ ଡାକି ଚାପ ପ୍ରୟୋଗ କରିଥିବେ ବୋଲି ତନୁଜା ଅଭିଯୋଗ କରିଛନ୍ତି ।  ବାପାଙ୍କ ମୃତ୍ୟୁରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ଡିଭିଜନାଲ ମ୍ୟାନେଜରଙ୍କ ହାତ ରହିଛି। ତେଣୁ ଏହି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ତନୁଜା ପାଲ ଦାବି କରିଛନ୍ତି। ଅନ୍ୟପଟେ ଏନେଇ ଡିଭିଜନାଲ ମ୍ୟାନେଜର ଏକ ପଟ୍ଟନାୟକଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବାସୁଦେବ ପୂର୍ବରୁ ମଧ୍ୟ ଅଫିସ ତଥା ଅଫିସ ବାହାରେ ସଜ୍ଞାହୀନ ହୋଇପଡୁଥିଲେ। ତେଣୁ ସେ କୌଣସି ଚାପ ସୃଷ୍ଟି କରି ନାହାନ୍ତି ବୋଲି କହିଛନ୍ତି।