ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେଇଁଲା କରୋନା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ୫୪ ବର୍ଷିୟ ରୋଗୀଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି। ତାଙ୍କ ସଂସ୍ପର୍ଶରେ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ସେହି ୱାର୍ଡରେ ଥିବା ରୋଗୀମାନେ ଆସିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସନ୍ତାକାଲିଠାରୁ କିଛି ଦିନ ବନ୍ଦ କରାଯାଇ କର୍ମଚାରୀ ଓ ରୋଗୀଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ସାନିଟାଇଜ କରାଯିବ ବୋଲି ଜଣାପଡିଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର ପୂର୍ବରୁ ଥାଇରଡ, ରକ୍ତ ହୀନତା ଥିବାବେଳେ କିଛିଦିନ ପୂର୍ବରୁ ସେ ସାଧାରଣ ଦୁର୍ବଳତା ଅନୁଭବ କରୁଥିଲେ। ଗତ ୨୩ ତାରିଖ ତାଙ୍କୁ ଜ୍ୱର, କାଶ ହେବାରୁ ସେ ସମଲେଶ୍ୱରୀ ନର୍ସିଂ ହୋମକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ସ୍ୱାବ ପରୀକ୍ଷା ପାଇଁ କହିଥିଲେ। ଫଳରେ ସେ ଝାରସୁଗୁଡା କଲ୍ୟାଣ ମଣ୍ଡପ କେନ୍ଦ୍ରରେ ସ୍ୱାବ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସକାଳ ୯ ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ ଝାରସୁଗୁଡାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଏଡିଏମୋ ଡୋଲାମଣି ପଟେଲ ସୂଚନା ଦେଇଛନ୍ତି।